ମୁମ୍ବାଇ:

ଲୋକପ୍ରିୟ ହାସ୍ୟ କଳାକାର ଭାରତୀ ସିଂହ ପୁଣିଥରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୪୧ ବର୍ଷ ବୟସରେ ସେ ଦ୍ୱିତୀୟ ଥର ପାଇଁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଖୁସିର ଖବର ସହ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ପୁଣିଥରେ ମାତା–ପିତା ହୋଇଛନ୍ତି, ଯାହାକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭାରତୀ ‘ଲାଫଟର ସେଫ୍’ ସୋ’ର ସୁଟିଂ ପାଇଁ ବାହାରିବାକୁ ଥିବା ବେଳେ ହଠାତ୍‌ ତାଙ୍କର ୱାଟର ବ୍ୟାଗ୍ ଫାଟିଯାଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଯାଇଥିଲା, ଯେଉଁଠାରେ ସେ ସୁସ୍ଥ ଭାବେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି।

୨୦୧୭ରେ ବିବାହ, ୨୦୨୨ରେ ପ୍ରଥମ ସନ୍ତାନ

ଭାରତୀ ସିଂହ ଓ ହର୍ଷ ଲିମ୍ବାଚିଆ ୨୦୧୭ ମସିହାରେ ବିବାହ କରିଥିଲେ। ୨୦୨୨ରେ ସେମାନଙ୍କର ପ୍ରଥମ ସନ୍ତାନ ଶିଶୁପୁତ୍ର ‘ଲକ୍ଷ୍ୟ’ର ଜନ୍ମ ହୋଇଥିଲା। ପରେ ଭାରତୀ ଦ୍ୱିତୀୟ ସନ୍ତାନ ନେଇ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଅନେକ ସାକ୍ଷାତକାରରେ ଝିଅ ସନ୍ତାନ ହେବା ଆଶା କରୁଥିବା କଥା କହିଥିଲେ। ତଥାପି, ଏଥର ମଧ୍ୟ ସେ ଶିଶୁପୁତ୍ରର ମା’ ହୋଇଛନ୍ତି।

ଗର୍ଭାବସ୍ଥାରେ ମଧ୍ୟ କାମରେ ସକ୍ରିୟ

ଗର୍ଭବତୀ ଥିବା ସତ୍ତ୍ୱେ ଭାରତୀ ସିଂହ ନିରନ୍ତର କାମ କରୁଥିଲେ। ସେ ‘ଲାଫଟର ସେଫ୍’ ସିଜନ୍–୩ର ସୁଟିଂରେ ବ୍ୟସ୍ତ ଥିଲେ ଏବଂ ସେଟରେ ପ୍ରାୟତଃ ତାଙ୍କ ଆଗାମୀ ଶିଶୁ ବିଷୟରେ ଆଲୋଚନା କରୁଥିଲେ। ଗର୍ଭାବସ୍ଥାରେ ମଧ୍ୟ ଏତେ ସକ୍ରିୟ ରହି କାମ କରିଥିବାରୁ ପ୍ରଶଂସକମାନେ ତାଙ୍କୁ ଭୁରିଭୁରି ସାଧୁବାଦ ଜଣାଇଥିଲେ।

ଯମଜ ସନ୍ତାନ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଶେଷରେ ଭାରତୀ ସିଂହ ଏକ ସୁସ୍ଥ ଶିଶୁପୁତ୍ରର ମା’ ହୋଇ ତାଙ୍କ ପରିବାରର ଖୁସିକୁ ଆଉ ଦୁଇଗୁଣା କରିଛନ୍ତି।