ମନୋରଞ୍ଜନ: ଯୁକ୍ତି, ସୁସଂଗଠିତ କାହାଣୀ ବା ସ୍ପଷ୍ଟ ବାର୍ତ୍ତା ଆଶା କରି ଯେଉଁମାନେ ସିନେମା ଦେଖନ୍ତି, ସେମାନଙ୍କ ପାଇଁ ‘ହାପି ପଟେଲ: ଖତରନାକ ଜାସୂସ’ ନିଶ୍ଚୟ ଏକ ଅଲଗା ଅନୁଭୂତି। ଏହି ଚଳଚ୍ଚିତ୍ରଟି ଏଭଳି ଏକ ଅବାନ୍ତର ଧାରାର କମେଡି, ଯେଉଁଠାରେ ଯୁକ୍ତିଯୁକ୍ତତା ଖୋଜିବା ଠାରୁ ଅଧିକ ଦର୍ଶକଙ୍କୁ ହାସ୍ୟରସର ଅସ୍ଥିର ଧାରାକୁ ଗ୍ରହଣ କରିବାକୁ ପଡ଼େ।

ବୀର ଦାସ ଓ କବି ଶାସ୍ତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ସିନେମାର କାହାଣୀ ‘ବ୍ରେନ୍-ରଟ୍’ କମେଡି ଧାରାରେ ଆଗକୁ ବଢ଼ିଥାଏ। ଚରିତ୍ରମାନେ ଅପ୍ରତ୍ୟାଶିତ ସ୍ଥାନ ଓ ପରିସ୍ଥିତିରେ ଦୃତ ଗତିରେ ଘଟଣାକ୍ରମକୁ ଆଗେଇ ନେଉଛନ୍ତି, ଯାହାକୁ ଉପଭୋଗ କରିବା ପାଇଁ ଗଭୀର ମନୋଯୋଗ ଆବଶ୍ୟକ ନୁହେଁ। ତେବେ ଏହି ହାସ୍ୟରସ ସମସ୍ତ ଶ୍ରେଣୀର ଦର୍ଶକଙ୍କୁ ଆକର୍ଷିତ କରିପାରେନି।

ଚଳଚ୍ଚିତ୍ରର ଆରମ୍ଭରେ ଆମିର ଖାଁଙ୍କ ଏକ ସଂକ୍ଷିପ୍ତ ଉପସ୍ଥିତି ଦେଖିବାକୁ ମିଳେ। ଗୋଆର ଡନ୍ ଜିମି ମାରିଓ ଚରିତ୍ରରେ ସେ ଏକ ଉଗ୍ର ଲଢ଼େଇ ପରେ ମୃତ୍ୟୁବରଣ କରନ୍ତି। ପରେ ତାଙ୍କ ଝିଅ ମାମା (ମୋନା ସିଂହ) ସାମ୍ରାଜ୍ୟର ଦାୟିତ୍ୱ ନେଇ ଖଳନାୟିକା ଭାବେ ଆଗକୁ ଆସନ୍ତି। ଅନ୍ୟପଟେ, ଇଂଲଣ୍ଡରେ ଦୁଇଜଣ ସମଲିଙ୍ଗୀ ପିତାଙ୍କ ଆଶ୍ରୟରେ ବଡ଼ ହୋଇଥିବା ହାପି ପଟେଲ (ବୀର ଦାସ) ଜଣେ ଗୁପ୍ତଚର ହେବାର ସ୍ୱପ୍ନ ଦେଖେ। ଦକ୍ଷତାର ଅଭାବ ଥିଲେ ମଧ୍ୟ ନୃତ୍ୟ ଓ ରୋଷେଇରେ ସେ ପାରଙ୍ଗମ।

ଗୋଆରୁ ଅପହୃତ ଜଣେ ବ୍ରିଟିସ୍ ବୈଜ୍ଞାନିକଙ୍କୁ ଉଦ୍ଧାର କରିବା ମିଶନରେ ହାପିଙ୍କୁ ଭାରତ ପଠାଯାଏ। ଏଠାରେ ସେ ନିଜ ଭାରତୀୟ ମୂଳ ସହ ପରିଚିତ ହେବା ସହ ହିନ୍ଦୀ ଶିଖେ ଓ ଗୁପ୍ତଚର ଭାବେ ନିଜର ଅଯୋଗ୍ୟତାକୁ ମଜାଳିଆ ଭାବେ ଉପସ୍ଥାପନ କରେ। ଗୋଆର ନୃତ୍ୟଶିଳ୍ପୀ ରୁପା (ମିଥିଲା ପାଲକର) ସହ ତାଙ୍କର ପ୍ରେମ କାହାଣୀ ଓ ମାମା ସହ ନିର୍ଣ୍ଣାୟକ ସଂଘର୍ଷ ସିନେମାର ମୁଖ୍ୟ ଆକର୍ଷଣ।

ବୀର ଦାସଙ୍କ ଷ୍ଟାଣ୍ଡଅପ୍ କମେଡିର ଛାପ ସିନେମାର ସଂଳାପ ଓ ବ୍ୟଙ୍ଗରେ ସ୍ପଷ୍ଟ ଭାବେ ଦେଖାଯାଏ। ପରିଚୟ ସଂକଟ, ରଙ୍ଗଭେଦ ଓ ବଲିଉଡ୍‌ର ଗୁପ୍ତଚର ନାୟକମାନଙ୍କ ଚିତ୍ରଣକୁ ସେ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ‘ଶୋଲେ’, ‘ଚକ୍‌ ଦେ ଇଣ୍ଡିଆ’, ‘ସ୍ବଦେଶ’ ଓ ‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’ ଭଳି କିଂବଦନ୍ତୀ ସିନେମା ପ୍ରତି ସୂକ୍ଷ୍ମ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଇଛି।

ଇମ୍ରାନ ଖାଁ, ଆସ୍ କିଙ୍ଗ, ସଂଜୀବ କପୁର ଓ ମେୟାଙ୍ଗ ଚାଙ୍ଗଙ୍କ ଅତିଥି ଉପସ୍ଥିତି କିଛି ଅପ୍ରତ୍ୟାଶିତ କ୍ଷଣ ସୃଷ୍ଟି କରେ। ତେବେ ଉତ୍କୃଷ୍ଟ ସଂଳାପ ଓ ଅଭିନୟ ସତ୍ତ୍ୱେ ‘ଡେଲି ବେଲି’ ବା ‘ମାଡ୍‌ଗାଓଁ ଏକ୍ସପ୍ରେସ’ ପରି ସିନେମା ସହ ତୁଳନା କଲେ ଏହା କିଛିଟା ପଛରେ ପଡ଼ିଯାଏ।

ସାରକଥା, ‘ହାପି ପଟେଲ: ଖତରନାକ ଜାସୂସ’ ଏକ ଡାର୍କ ଓ ଅଲଗା ଧାରାର କମେଡି, ଯାହା ସହରୀ ଦର୍ଶକ ଓ ବୀର ଦାସଙ୍କ ହାସ୍ୟଶୈଳୀ ପସନ୍ଦ କରୁଥିବା ଲୋକଙ୍କୁ ଆକର୍ଷିତ କରିପାରେ। କିନ୍ତୁ ସମସ୍ତଙ୍କୁ ହସାଇବା ଭଳି ଉପାଦାନ ଏଥିରେ ନାହିଁ।