ନୂଆଦିଲ୍ଲୀ: ତାମିଲ ଅଭିନେତା ବିଜୟଙ୍କ ଅଭିନୀତ ‘ଜନ ନାୟଗନ’ ଚଳଚ୍ଚିତ୍ର ରିଲିଜ ସଂପର୍କିତ ଆଇନଗତ ବିବାଦ ପୁଣିଥରେ ମାଡ୍ରାସ ହାଇକୋର୍ଟର ବିଚାରାଧୀନ ରହିଛି। ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ସେନ୍ସର ବୋର୍ଡ (ସିବିଏଫସି) ସାର୍ଟିଫିକେଟ ପାଇବା ସଂପର୍କିତ ମୁଦ୍ଦା ମାଡ୍ରାସ ହାଇକୋର୍ଟରେ ଉଠାଯିବା ଉଚିତ୍। ଏହାସହ କେଭିଏନ ପ୍ରଡକ୍ସନ୍‌ର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସେନ୍ସର ବୋର୍ଡର ସାର୍ଟିଫିକେଟ ମିଳିନଥିବାରୁ ବିଜୟଙ୍କ ଏହି ଚଳଚ୍ଚିତ୍ର ଜାନୁଆରି ୯ ତାରିଖରୁ ରିଲିଜ ହୋଇପାରିନାହିଁ। ସର୍ବୋଚ୍ଚ ଅଦାଳତ ତାଙ୍କ ଆଦେଶରେ ଆବେଦନକାରୀଙ୍କୁ ମାଡ୍ରାସ ହାଇକୋର୍ଟର ଡିଭିଜନ ବେଞ୍ଚ ସମ୍ମୁଖରେ ସମସ୍ତ ଯୁକ୍ତି ରଖିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ମାଡ୍ରାସ ହାଇକୋର୍ଟ ନିର୍ମାତାଙ୍କ ଦ୍ୱାରା ଜରୁରୀତା ଦେଖାଇ ଦାଖଲ ହୋଇଥିବା ଆବେଦନକୁ ନେଇ କଠୋର ସମାଲୋଚନା କରିଥିଲେ। ମାମଲାର ସମ୍ପୂର୍ଣ୍ଣ ଶୁଣାଣି ସମାପ୍ତ ନହେବା ପର୍ଯ୍ୟନ୍ତ ସିବିଏଫସି ସାର୍ଟିଫିକେଟକୁ ସ୍ଥଗିତ ରଖିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅସ୍ୱୀକାର କରିଥିବା ସହ ଜାନୁଆରି ୨୦ ତାରିଖ ସୁଦ୍ଧା ମାଡ୍ରାସ ହାଇକୋର୍ଟକୁ ଆବେଦନର ନିଷ୍ପତ୍ତି ନେବା ପ୍ରୟାସ କରିବାକୁ କହିଛନ୍ତି।

କେଭିଏନ ପ୍ରଡକ୍ସନ୍‌ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟରେ ଯୁକ୍ତି ରଖି କହିଥିଲେ ଯେ, ଫିଲ୍ମ ରିଲିଜରେ ହେଉଥିବା ବିଳମ୍ବରୁ ନିର୍ମାତା ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତେବେ ସୁପ୍ରିମକୋର୍ଟ ନିର୍ମାତାଙ୍କୁ ପ୍ରଶ୍ନ କରିଥିଲେ ଯେ, ସିବିଏଫସିକୁ ସାର୍ଟିଫିକେଟ ପ୍ରଦାନ ପାଇଁ ଯଥେଷ୍ଟ ସମୟ କାହିଁକି ଦିଆଯାଇନଥିଲା।