ମୁମ୍ବାଇ: କାନାଡାର ସରେ ସହରରେ ଅବସ୍ଥିତ କପିଲ ଶର୍ମାଙ୍କ ‘କାପ୍ସ କାଫେ’ ଉପରେ ଗୁରୁବାର ପୁଣିଥରେ ଗୁଳିଚାଳନା ଘଟିଛି। ପ୍ରାୟ ଗୋଟିଏ ମାସରେ ଦ୍ୱିତୀୟଥର ପାଇଁ ଏହିପରି ଆକ୍ରମଣ ହେବାରୁ କପିଲଙ୍କ ଭକ୍ତମାନେ ଚିନ୍ତାରେ ପଡିଛନ୍ତି। ଘଟଣା ପରେ ତଦନ୍ତରେ ଜଣାପଡିଛି ଯେ, ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି।
ଲରେନ୍ସ ଗ୍ରୁପର ସଦସ୍ୟ ଏବଂ ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରଙ୍କ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଦାବି କରିଛନ୍ତି ଯେ, କପିଲ ଶର୍ମା ନେଟଫ୍ଲିକ୍ସର ଏକ ସୋ’ର ଉଦଘାଟନ ପାଇଁ ସଲମାନ ଖାନଙ୍କୁ ନିମନ୍ତ୍ରଣ କରିଥିଲେ। ସେଥିପାଇଁ କାଫେରେ ଗୁଳିଚାଳନା କରାଯାଇଥିଲା।
ଏହି ଅଡିଓରେ ହ୍ୟାରି ବକ୍ସର ଧମକ ଦେଇ କହିଛନ୍ତି, “ଯିଏ ସଲମାନଙ୍କ ସହ କାମ କରିବ, ସେ ମରିବ। ପରବର୍ତ୍ତୀଥର କୌଣସି ପ୍ରଚେତାବନୀ ନୁହେଁ, ସିଧାସଳଖ ଗୁଳି ଛାତିରେ ବାଜିବ। ମୁମ୍ବାଇର ସମସ୍ତ କଳାକାର ଓ ପ୍ରଯୋଜକମାନଙ୍କୁ ଏହା ଚେତାବନୀ ଦିଆଯାଉଛି।”
ସେ ଆହୁରି କହିଛନ୍ତି, “ଆମେ ମୁମ୍ବାଇର ପରିବେଶକୁ ଏପରି ନଷ୍ଟ କରିଦେବୁ ଯେ, କେହି ଜୀବନରେ ଏଭଳି କଥା କଳ୍ପନା କରିବେ ନାହିଁ। ଛୋଟ କଳାକାର ହେଉ କି ବଡ଼ ନିର୍ଦ୍ଦେଶକ, ସଲମାନ ସହ କାମ କଲେ ତାଙ୍କୁ ଆମେ ଛାଡିବୁ ନାହିଁ।”





