ନୂଆଦିଲ୍ଲୀ:

ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି। ୫୨ ବର୍ଷୀୟ ମହିମା ଦ୍ୱିତୀୟ ବିବାହକୁ ନେଇ ଖୋଲାମେଳା ଭାବେ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ପୁଣି ଥରେ ବିବାହ କରିବାକୁ ଚାହୁଁଛନ୍ତି ଏବଂ ବିବାହ ପ୍ରତି ତାଙ୍କର ଆସ୍ଥା ଏବେ ମଧ୍ୟ ଅଟୁଟ ଅଛି।

ଉଲ୍ଲେଖଯୋଗ୍ୟ ଯେ, ମହିମା ୨୦୦୬ ମସିହାରେ ବ୍ୟବସାୟୀ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ। ୨୦୦୭ ମସିହାରେ ତାଙ୍କର ଝିଅ ଆର୍ଯ୍ୟାନ ମୁଖାର୍ଜୀର ଜନ୍ମ ହୋଇଥିଲା। କିନ୍ତୁ ଦାମ୍ପତ୍ୟ ଜୀବନ ଦୀର୍ଘସ୍ଥାୟୀ ହୋଇପାରିନଥିଲା ଏବଂ ୨୦୧୩ ମସିହାରେ ଦୁହେଁ ଆଇନଗତ ଭାବେ ଅଲଗା ହୋଇଥିଲେ।

“ମୁଁ ହାର ମାନିନି”

ଦ୍ୱିତୀୟ ବିବାହ ବିଷୟରେ ମହିମା କହିଛନ୍ତି, “ମୋର ଛାଡପତ୍ର ମାମଲା ଏପର୍ଯ୍ୟନ୍ତ ବିଚାରାଧୀନ ଅଛି। କିନ୍ତୁ ମୁଁ ପୁନଃବିବାହ ବିଷୟରେ ଚିନ୍ତା କରୁଛି। ମୁଁ ହାର ମାନିନି। ମୁଁ ବିବାହରେ ବିଶ୍ୱାସ କରେ ଏବଂ ମନେ କରେ ଯେ ଦୁଇଜଣ ଲୋକ ଏକାଠି ହୋଇ ସୁଖମୟ ଜୀବନ ବିତାଇପାରନ୍ତି।”

ସେ ଆହୁରି କହିଛନ୍ତି ଯେ, ଏକା ଏକା ପିଲାକୁ ପାଳନ କରିବା ସହଜ ନୁହେଁ ଏବଂ ବିବାହ ପାଇଁ ବୁଝାମଣା ଓ ସହଯୋଗ ଅତ୍ୟନ୍ତ ଆବଶ୍ୟକ।

କର୍କଟ ସହ ଯୁଦ୍ଧ କରିଥିଲେ

ମହିମା ଚୌଧୁରୀ ଜୀବନରେ ଅନେକ ସଂଘର୍ଷ ଦେଖିଛନ୍ତି। ୨୦୨୨ ମସିହାରେ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା କଥା ସାର୍ବଜନୀନ କରିଥିଲେ। ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ପୁଣିଥରେ କାମକୁ ଫେରିଛନ୍ତି।

ପୁଣି ପରଦାରେ ମହିମା

ମହିମା ସମ୍ପ୍ରତି ‘ଏମର୍ଜେନ୍ସି’ ଫିଲ୍ମରେ ପୁପୁଲ ଜୟକରଙ୍କ ଭୂମିକାରେ ନଜର ଆସିଥିଲେ। ଏହାଛଡ଼ା ଇବ୍ରାହିମ୍ ଅଲି ଖାନ ଓ ଖୁସି କପୁରଙ୍କ ସହ ‘ନାଦାନିଆନ୍’ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଦୁର୍ଲଭ ପ୍ରସାଦଙ୍କ ଆଗାମୀ ଫିଲ୍ମ **‘ଦୂସରୀ ଶାଦୀ’**ରେ ନଜର ଆସିବାକୁ ଯାଉଛନ୍ତି, ଯାହା ସହ ତାଙ୍କ ପୁନଃବିବାହ ଚର୍ଚ୍ଚା ଆହୁରି ଜୋର ଧରିଛି।