ନୂଆଦିଲ୍ଲୀ: ସିନେମା ଓ କ୍ରିକେଟ୍ ଜଗତର ସମ୍ପର୍କକୁ ନେଇ ସବୁବେଳେ ଆଲୋଚନା ହୋଇଆସିଛି। ପୂର୍ବତନ ୱେଷ୍ଟଇଣ୍ଡିଜ୍ ଦିଗଗଜ କ୍ରିକେଟର୍ ସର୍ ଭିଭିଆନ୍ ରିଚାର୍ଡସ ଓ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ସମ୍ପର୍କ ମଧ୍ୟ ସେହି ତାଲିକାରେ ଗୋଟିଏ ପରିଚିତ ନାମ। ଉଭୟ ଏବେ ଅଲଗା ଜୀବନ ଯାପନ କରୁଥିବା ସତ୍ତ୍ୱେ, ଝିଅ ମାସାବା ସହ ରିଚାର୍ଡସଙ୍କ ନିକଟ ସମ୍ପର୍କକୁ ନେଇ ନୀନା ସମ୍ପ୍ରତି ସକାରାତ୍ମକ ମତ ପ୍ରକାଶ କରିଛନ୍ତି।
ଏକ ସାକ୍ଷାତକାରରେ ନୀନା କହିଛନ୍ତି ଯେ, ରିଚାର୍ଡସ ଓ ମାସାବା ମଧ୍ୟରେ ଭଲ ଯୋଗାଯୋଗ ରହିଛି ଏବଂ ଉଭୟ ପରସ୍ପର ସହ ସହଜ ଓ ସ୍ୱାଭାବିକ ଭାବରେ ଜଡିତ। ବାପ-ଝିଅଙ୍କ ଏହି ସମ୍ପର୍କରେ କୌଣସି ଅସମ୍ମତି କିମ୍ବା ଦୂରତ୍ୱ ନଥିବା ସେ କହିଛନ୍ତି। ପରିବାର ଭଳି ସ୍ନେହ ଓ ସମ୍ମାନ ଥିବାରୁ ସେ ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ନୀନାଙ୍କ କଥାନୁସାରେ, ମାସାବାଙ୍କ ଶୈଶବ ସମୟରେ ରିଚାର୍ଡସ ସବୁବେଳେ ସାଥିରେ ନଥିଲେ, କିନ୍ତୁ ବର୍ତ୍ତମାନ ଉଭୟ ଏକାପରକୁ ବୁଝି ପାରୁଛନ୍ତି ଏବଂ ଭଲ ସମ୍ପର୍କ ଗଢ଼ି ନେଇଛନ୍ତି। ସେ କହିଛନ୍ତି, ରିଚାର୍ଡସ ଅଧିକ ସାମାଜିକ ନୁହଁନ୍ତି, ଯେଉଁଠାରେ ମାସାବା ବହୁତ ମିଶୁକ ସ୍ୱଭାବର — ଯାହା ତାଙ୍କ ସହ ସମାନ।
ରିଚାର୍ଡସ ଓ ନୀନାଙ୍କ ସମ୍ପର୍କ କ୍ରିକେଟ୍ ଦୁନିଆ ସହ ଜଡିତ ଏକ ପରିଚୟରୁ ଆରମ୍ଭ ହୋଇଥିଲା। ପରେ ୧୯୮୮ ମସିହାରେ ଉଭୟ ଅଲଗା ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିଥିଲେ। ନୀନା ୨୦୦୮ରେ ବିବେକ ମିଶ୍ରାଙ୍କୁ ବିବାହ କରିଥିଲେ। ମାସାବା ଫ୍ୟାସନ୍ ଡିଜାଇନର୍ ଭାବେ ପରିଚିତ ହୋଇଥିବା ସହ ବର୍ତ୍ତମାନ ତାଙ୍କ ଦ୍ୱିତୀୟ ବିବାହ ପରେ ପରିବାରିକ ଜୀବନ ଯାପନ କରୁଛନ୍ତି। ତାଙ୍କ ବିବାହ ଅବସରରେ ରିଚାର୍ଡସ ଉପସ୍ଥିତ ଥିବା ମଧ୍ୟ ଉଲ୍ଲେଖନୀୟ।





