କେବଳ ଦମଦାର ଅଭିନୟ ନୁହେଁ, ସୁସଂସ୍କାର ଓ ନମ୍ର ବ୍ୟବହାର ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟରେ ଅଲଗା ସ୍ଥାନ ଗଢ଼ିନେଇଛନ୍ତି ତେଲୁଗୁ ସୁପର୍ଷ୍ଟାର୍ ପ୍ରଭାସ। ନିକଟରେ ତାଙ୍କ ଅଭିନୀତ ଆସନ୍ତା ସିନେମା ‘ରାଜାସାବ୍’ର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ଦିଆଯାଇଥିବା ଏକ ମନ୍ତବ୍ୟ ପାଇଁ ପ୍ରଭାସ ଏବେ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଶଂସା ସାଉଁଟୁଛନ୍ତି।
କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ସମ୍ବୋଧନ କରି ପ୍ରଭାସ କହିଥିଲେ ଯେ, ମକର ସଂକ୍ରାନ୍ତି ଅବସରରେ ମୁକ୍ତି ପାଇବାକୁ ଯାଉଥିବା ସମସ୍ତ ୫ଟି ସିନେମା—ତାଙ୍କ ଫିଲ୍ମ ସମେତ—ବ୍ଲକ୍ବଷ୍ଟର୍ ହେଉ। ଏହି ସକାରାତ୍ମକ ଓ ମହାନ ମନୋଭାବ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି।
ଏତିକିରେ ଥମ୍କିନଥିଲେ ପ୍ରଭାସ। ସେ କହିଥିଲେ, “ବରିଷ୍ଠମାନେ ସଦା ବରିଷ୍ଠ। ଆମେ ସେମାନଙ୍କଠାରୁ ଶିଖୁଛୁ, ସେମାନଙ୍କୁ ଅନୁସରଣ କରୁଛୁ ଏବଂ ସଦା ସେମାନଙ୍କ ପଛରେ ରହିବୁ।” ପ୍ରଭାସଙ୍କ ଏହି କଥା ମେଗାଷ୍ଟାର୍ ଚିରଞ୍ଜୀବୀଙ୍କ ପ୍ରତି ସମ୍ମାନର ପ୍ରତିବିମ୍ବ ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି, କାରଣ ଚିରଞ୍ଜୀବୀଙ୍କ ଅଭିନୀତ ଏକ ସିନେମା ମଧ୍ୟ ମକରରେ ମୁକ୍ତି ପାଇବାକୁ ଯାଉଛି।
ବରିଷ୍ଠ କଳାକାରଙ୍କ ପ୍ରତି ପ୍ରଭାସଙ୍କ ଏଭଳି ସମ୍ମାନବୋଧ ପୁଣିଥରେ ପ୍ରମାଣ କରିଦେଇଛି ଯେ, ସେ କେବଳ ବକ୍ସଅଫିସ୍ର ସୁପର୍ଷ୍ଟାର୍ ନୁହେଁ, ବରଂ ହୃଦୟ ଜିଣିବାରେ ମଧ୍ୟ ଏକ ସତ୍ୟ ସୁପର୍ଷ୍ଟାର୍।





