ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବ୍ଲକବଷ୍ଟର ଫିଲ୍ମ ‘କୁଲି’ ସିନେମା ହଲ୍ ପରେ ବର୍ତ୍ତମାନ ଓଟିଟିରେ ମୁକ୍ତି ପାଇଛି। ଲୋକେଶ କନାଗାରାଜଙ୍କ ନିର୍ଦ୍ଦେଶିତ ଏହି ମଲ୍ଟି-ଷ୍ଟାରର ଫିଲ୍ମରେ ନାଗାର୍ଜୁନ, ଶ୍ରୁତି ହାସନ, ଆମିର ଖାନ, ସୌବିନ ଶାହିର, ସତ୍ୟରାଜ, ଉପେନ୍ଦ୍ର ଓ ରଚିତା ରାମ ଅଭିନୟ କରିଥିଲେ। ‘ୱାର୍ ୨’ ସହିତ ବକ୍ସ ଅଫିସରେ ପ୍ରତିସ୍ପର୍ଦ୍ଧା କରିଥିବା ‘କୁଲି’ ୨୦୨୫ର ସର୍ବାଧିକ ସଫଳ ଫିଲ୍ମ ମଧ୍ୟରୁ ଗଣାଯାଇଛି।

ହେଲେ, ହିନ୍ଦୀ ଭାଷାରେ ଏହି ଫିଲ୍ମଟି ଓଟିଟିରେ ଉପଲବ୍ଧ ନଥିବାରୁ ଦର୍ଶକମାନେ ନିରାଶା ବ୍ୟକ୍ତ କରିଛନ୍ତି। ସେପ୍ଟେମ୍ବର ୧୧ରେ ପ୍ରାଇମ୍ ଭିଡିଓରେ ମାଲାୟଲମ, କନ୍ନଡ, ତେଲୁଗୁ ଏବଂ ତାମିଲ ସଂସ୍କରଣ ମୁକ୍ତି ପାଇଥିଲା। ହିନ୍ଦୀ ସଂସ୍କରଣ ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ।

୩୫୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଫିଲ୍ମଟି କେବଳ ଭାରତୀୟ ବଜାରରୁ ୨୮୪.୪୭ କୋଟି ଟଙ୍କା ଏବଂ ସାରା ବିଶ୍ୱରୁ ୫୧୪.୬୫ କୋଟି ଟଙ୍କା ରୋଜଗାର କରିଥିଲା। ଦର୍ଶକଙ୍କୁ ପାୱାର-ପ୍ୟାକ୍ଡ୍ ଆକ୍ସନ୍ ସହିତ ମନୋରଞ୍ଜନ ଦେବା ସତ୍ତ୍ୱେ, ହିନ୍ଦୀରେ ନଥିବାରୁ ବହୁତେ ନେଟିଜେନ ଅସନ୍ତୋଷ ପ୍ରକାଶ କରିଛନ୍ତି।