ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଷ୍ଟାର ଦମ୍ପତ୍ତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ଖୁସିର ଖବର। ଉଭୟ ବାପା–ମାଆ ହୋଇଛନ୍ତି। ଅଭିନେତ୍ରୀ ଅର୍ଚ୍ଚିତା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ, ଏହି ସୁଖଦ ମୁହୂର୍ତ୍ତର ସୂଚନା ସୋସିଆଲ ମିଡିଆରେ ସେୟାର କରିଛନ୍ତି ସବ୍ୟସାଚୀ।

ସବ୍ୟସାଚୀ ନିଜ ପୋଷ୍ଟରେ “କାଳିଆ ଆସିଲା” ବୋଲି ଲେଖି ନିଜ ଖୁସି ଜାହିର କରିଥିବା ସହ କୁନି ପୁଅ ପାଇଁ ସମସ୍ତଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ଉଭୟଙ୍କୁ ଅନୁଗାମୀ ଓ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ଉଲ୍ଲେଖଯୋଗ୍ୟ ଯେ, ଆଜି ସଞ୍ଜରେ ସବ୍ୟସାଚୀ ଗୁପ୍ତ ଭାବେ ଏକ ସନ୍ଦେଶ ମାଧ୍ୟମରେ ନୂଆ ଅତିଥି ଆସିବା ସୁରାକ ଦେଇଥିଲେ। ଡିସେମ୍ବର ୧୪ ତାରିଖରେ ମଧ୍ୟ ଉଭୟ ଦମ୍ପତ୍ତି ସୋସିଆଲ ମିଡିଆରେ ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ।

କେବେ ହୋଇଥିଲା ବାହାଘର?

ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ୨୦୨୧ ମାର୍ଚ୍ଚ ମାସରେ ରାଜସ୍ଥାନର ଏକ ବିଳାସମୟ ରିସୋର୍ଟରେ ବିବାହ କରିଥିଲେ। ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କରେ ଥିବା ପରେ ଉଭୟ ସାତ ଜନ୍ମର ସାଥୀ ହୋଇଥିଲେ।

କ୍ୟାରିୟର ଆରମ୍ଭ କେବେ?

ଅର୍ଚ୍ଚିତା ସାହୁ ୨୦୦୫ ମସିହାରେ ‘ଓ ମାଇଁ ଲଭ’ ଫିଲ୍ମ ମାଧ୍ୟମରେ ଓଲିଉଡରେ ପାଦ ରଖିଥିଲେ। ସବ୍ୟସାଚୀ ମିଶ୍ର ୨୦୦୭ ମସିହାରେ ‘ପାଗଳ ପ୍ରେମୀ’ ସିନେମା ମାଧ୍ୟମରେ ଓଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଉଭୟଙ୍କ ପ୍ରଥମ ସହଅଭିନୟ ଚଳଚ୍ଚିତ୍ର ଥିଲା ‘ମୁଁ ସପନର ସୌଦାଗର’।