ମୁମ୍ବାଇ: ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ଏବେ ପୁଣିଥରେ ତାଙ୍କ ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିବା ପରେ ସୁନିତା ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି ଏବଂ ନିରନ୍ତର ଭାବେ ପ୍ରଶଂସକଙ୍କ ସହ ଯୋଗାଯୋଗ ରଖୁଛନ୍ତି। ତାଙ୍କର ସ୍ପଷ୍ଟବାଦୀ ଓ ସରଳ ଶୈଳୀ ପ୍ରଶଂସକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ।

ସମ୍ପ୍ରତି ସେ ଏକ ଭିଡିଓ ସେୟାର କରି ଏକ ବିଶେଷ ଘୋଷଣା କରିଛନ୍ତି। ଏହି ଭିଡିଓରେ ସୁନିତା କହିଛନ୍ତି ଯେ ସେ ନିଜ ପ୍ରଶଂସକଙ୍କ ଘରକୁ ଯାଇ ସେମାନଙ୍କ ପରିବାରକୁ ଭେଟିବେ। ସେ କହିଛନ୍ତି, ପ୍ରଶଂସକଙ୍କ ପସନ୍ଦର ଘରୋଇ ଖାଦ୍ୟ ଏକାଠି ରାନ୍ଧିବେ ଓ ସେହି ଖାଦ୍ୟ ସହ ମିଳିତ ଭାବେ ସମୟ କାଟିବେ।

ସୁନିତା ତାଙ୍କ ଭିଡିଓରେ କହିଛନ୍ତି, ଯେଉଁମାନେ ତାଙ୍କୁ ଭଲପାଆନ୍ତି କିମ୍ବା ଭଲପାଆନ୍ତି ନାହିଁ—ସମସ୍ତଙ୍କୁ ସେ ଭେଟିବାକୁ ଚାହାନ୍ତି। ବମ୍ବେ ହେଉ କି ବମ୍ବେ ବାହାର, ଯେଉଁଠାରୁ ମଧ୍ୟ ପ୍ରଶଂସକମାନେ ତାଙ୍କୁ ଡାକିପାରିବେ ବୋଲି ସେ କହିଛନ୍ତି। ବର୍ତ୍ତମାନ ପାଇଁ ବମ୍ବେର ପ୍ରଶଂସକମାନଙ୍କୁ ଯୋଗାଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଏହି ଘୋଷଣା ପରେ ସୁନିତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କୋରିଓଗ୍ରାଫର ଓ ନିର୍ଦ୍ଦେଶିକା ଫାରାହ ଖାନ ମଧ୍ୟ ଏଭଳି ଧାରଣାରେ ସେଲିବ୍ରିଟିମାନଙ୍କ ଘରକୁ ଯାଇ ଭିଡିଓ ସେୟାର କରୁଥିଲେ। ସୁନିତା ଆହୁଜାଙ୍କ ଏହି ନୂଆ ପଦକ୍ଷେପ ପ୍ରଶଂସକଙ୍କ ସହ ସମ୍ପର୍କକୁ ଆହୁରି ଗଭୀର କରିବ ବୋଲି ଆଶା କରାଯାଉଛି।