ମୁମ୍ବାଇ: ଲୋକପ୍ରିୟ ଟିଭି ସିଟକମ୍ “ତାରକ ମେହେଟା କା ଓଲଟା ଚଷମା”ର ପ୍ରଶଂସକଙ୍କ ପାଇଁ ଏକ ନୂଆ ଉପହାର ନେଇଆସିଛନ୍ତି ଏହାର ନିର୍ମାତାମାନେ। ମକର ସଂକ୍ରାନ୍ତି ଅବସରରେ ଶୋ’ର ଏକ ସ୍ୱତନ୍ତ୍ର 3D ଆନିମେଟେଡ୍ ଏପିସୋଡ୍ ଲଞ୍ଚ କରାଯାଇଛି। “ଦି ଗ୍ରେଟ୍ ଇଣ୍ଡିଆନ୍ ଗୋକୁଲଧାମ କାଇଟ୍ ଫେଷ୍ଟିଭାଲ୍” ଶୀର୍ଷକ ଏହି ଏପିସୋଡ୍ ଜାନୁଆରି ୧୨ ତାରିଖ ସଂଧ୍ୟା ୬.୩୦ରେ “ତାରକ ମେହେଟା କା ଓଲଟା ଚଷମା 3D ଆନିମେଟେଡ୍ ସିରିଜ୍” ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହୋଇଛି।
ଏହି 3D ଆନିମେଟେଡ୍ ଏପିସୋଡ୍ ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ୍, ମଲୟାଳମ୍, ବଙ୍ଗାଳୀ, ତେଲୁଗୁ ଓ କନ୍ନଡ—ମୋଟ ଆଠଟି ଭାଷାରେ ଉପଲବ୍ଧ କରାଯାଇଛି। ଫଳରେ ଦେଶର ବିଭିନ୍ନ ଅଞ୍ଚଳର ଦର୍ଶକମାନେ ନିଜ ଭାଷାରେ ଏହି ବିଶେଷ ଏପିସୋଡ୍ର ଆନନ୍ଦ ଉଠାଇପାରିବେ। ଏପିସୋଡ୍ଟି ହାସ୍ୟରସ ଓ ମଜାଦାର କାହାଣୀ ମାଧ୍ୟମରେ ଏକତା, ପରମ୍ପରା ଓ ସାମୁହିକ ଆନନ୍ଦର ସନ୍ଦେଶ ଦେଇଥାଏ।
ଗୋକୁଳଧାମ ସୋସାଇଟିର ମକର ସଂକ୍ରାନ୍ତି ଗୁଡ଼ି ଉତ୍ସବ ଦର୍ଶକଙ୍କ ପାଇଁ ପୂର୍ବରୁ ଟିଭି ଶୋ’ରେ ବହୁବାର ଆକର୍ଷଣର କେନ୍ଦ୍ର ରହିଆସିଛି। ଏଥର 3D ଆନିମେସନ୍ ମାଧ୍ୟମରେ ଏହି ଉତ୍ସବକୁ ଏକ ସମ୍ପୂର୍ଣ୍ଣ ନୂଆ ଶୈଳୀରେ ଉପସ୍ଥାପନ କରାଯାଇଛି। ଉତ୍ସବ ସମୟରେ ଘଟୁଥିବା ଏକ ମଜାଦାର ଗୁଡ଼ି ବିବାଦ ଓ ସେଥିରୁ ଉଦ୍ଭୂତ ପରିସ୍ଥିତିକୁ ଗୋକୁଳଧାମବାସୀ କିପରି ସମାଧାନ କରନ୍ତି, ତାହା ଏହି ଏପିସୋଡ୍ର ମୁଖ୍ୟ ଆକର୍ଷଣ।
ଉଲ୍ଲେଖଯୋଗ୍ୟ ଯେ, “ତାରକ ମେହେଟା କା ଓଲଟା ଚଷମା”ରେ ଜେଥାଲାଲ, ବାବିତାଜୀ, ଚମ୍ପକଲାଲ, ଭିଡେ, ଆୟର, ହାଥୀ ପରିବାର ସହ ଅନେକ ସ୍ମରଣୀୟ ଚରିତ୍ର ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଗତ ୧୭ ବର୍ଷ ଧରି ଏହି ଶୋ’ ନିରନ୍ତର ମନୋରଞ୍ଜନ ଦେଇଆସୁଥିବାବେଳେ, 3D ଆନିମେଟେଡ୍ ଏପିସୋଡ୍ ମାଧ୍ୟମରେ ଏହା ପୁନର୍ବାର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।





