ଭୁବନେଶ୍ୱର:

ବଲିଉଡ ହରାଇଛି ଜଣେ ଅନୁଭବୀ ଓ ପ୍ରତିଭାଶାଳୀ ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର। ୫୦ ବର୍ଷ ବୟସରେ ବରିଷ୍ଠ ସାଉଣ୍ଡ ଡିଜାଇନର ଓ ରେକର୍ଡିଷ୍ଟ ଇଂ. ସମୀର କୁମାର ପାତ୍ରଙ୍କ ଦେହାନ୍ତ ହୋଇଛି। ତାଙ୍କର ଅକାଳ ବିୟୋଗ ଓଡ଼ିଆ ସହ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଭାବେ ଦେଖାଯାଉଛି।

ଦୁଇ ଦଶକରୁ ଅଧିକ ସମୟ ଧରି ବଲିଉଡରେ କାର୍ଯ୍ୟରତ ଥିବା ସମୀର ପାତ୍ର ୭୫ରୁ ଅଧିକ ହିନ୍ଦୀ ଓ ସ୍ୱାଧୀନ ଚଳଚ୍ଚିତ୍ରରେ ନିଜର ଶବ୍ଦ ଯାଦୁଗରୀର ଅମିଟ ଛାପ ଛାଡ଼ିଯାଇଛନ୍ତି। ପ୍ରଚାରରୁ ଦୂରେ ରହିଥିଲେ ମଧ୍ୟ, ତାଙ୍କ କାମ ନିଜେ ତାଙ୍କ ପରିଚୟ ଥିଲା।

ଗଞ୍ଜାମରୁ ମୁମ୍ବାଇ ପର୍ଯ୍ୟନ୍ତ ଏକ ପ୍ରେରଣାଦାୟକ ଯାତ୍ରା

୧୯୭୬ ମସିହା ଡିସେମ୍ବର ୮ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଜନ୍ମିତ ସମୀର ପାତ୍ର ସ୍ଥାନୀୟ ସ୍କୁଲରୁ ଶିକ୍ଷା ଆରମ୍ଭ କରି ଭଞ୍ଜନଗର କଲେଜରୁ ବିଜ୍ଞାନରେ ସ୍ନାତକ ସମାପ୍ତ କରିଥିଲେ। ପରେ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (୧୯୯୬–୨୦୦୦)ରୁ ସାଉଣ୍ଡ ଏବଂ ଟେଲିଭିଜନ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରି ମୁମ୍ବାଇ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ।

୨୬ ବର୍ଷର ଉଜ୍ଜ୍ୱଳ କାର୍ଯ୍ୟଜୀବନ

୨୦୦୦ରୁ ୨୦୨୬ ପର୍ଯ୍ୟନ୍ତ ୨୬ ବର୍ଷ ଧରି ସେ ବଲିଉଡରେ ସାଉଣ୍ଡ ଇଞ୍ଜିନିୟର, ସାଉଣ୍ଡ ମିକ୍ସର, ଲୋକେସନ ସାଉଣ୍ଡ ରେକର୍ଡିଷ୍ଟ ଭାବେ କାମ କରିଥିଲେ। IMDb ଅନୁଯାୟୀ, ତାଙ୍କର ଭୂମିକା ଚଳଚ୍ଚିତ୍ରର ଶବ୍ଦ ଗୁଣମାନକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଥିଲା।

ପ୍ରମୁଖ ଚଳଚ୍ଚିତ୍ର

  • ଚକ୍ ଦେ ଇଣ୍ଡିଆ
  • ରକେଟ୍ ସିଂ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର
  • ଫୁକ୍ରେ
  • ବୀରେ ଦି ୱେଡିଂ
  • ଗୋଲ୍ଡ
  • ଦୃଶ୍ୟମ୍ ୨
  • ମିମି
  • ଯୁଗ ଯୁଗ୍ ଜିଓ
  • ଫିଲ୍ମିସ୍ତାନ
  • ସଡ଼କ ୨
  • ଧୁରନ୍ଧର (ଶେଷ କାର୍ଯ୍ୟ)

OTT ସିରିଜ୍

  • କ୍ରିମିନାଲ୍ ଜଷ୍ଟିସ୍
  • ୟେ କାଲି କାଲି ଆଖେଁ

ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ ‘କାଲିର ଅତୀତ’ ଚଳଚ୍ଚିତ୍ରରେ ତାଙ୍କ କାମ ଭାବନା ଓ ସାମାଜିକ ସତ୍ୟକୁ ଶବ୍ଦ ମାଧ୍ୟମରେ ଗଭୀର ଭାବେ ପ୍ରକାଶ କରିଥିଲା।

ନିରବ, ସରଳ ଓ ପ୍ରେରଣାଦାୟକ ବ୍ୟକ୍ତିତ୍ୱ

ସହକର୍ମୀ ଓ ଜୁନିୟରମାନଙ୍କ ନଜରରେ ସମୀର ପାତ୍ର ଜଣେ ମିଷ୍ଟଭାଷୀ, ଦୟାଳୁ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଥିଲେ। ନୂତନ ଟେକ୍ନିସିଆନମାନଙ୍କ ପାଇଁ ସେ ଜଣେ ମେଣ୍ଟର ସଦୃଶ ଥିଲେ।

ତାଙ୍କ ବିୟୋଗରେ BPFTIO ପରିବାର, ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଭାରତୀୟ ସିନେମାର ବୈଷୟିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମୀର ପାତ୍ର ଶରୀରେ ନଥିଲେ ମଧ୍ୟ, ତାଙ୍କର ସ୍ୱର ଓ ଶବ୍ଦ ସଦା ସିନେମା ପରଦାରେ ଜୀବନ୍ତ ରହିବ। 🙏