ନୂଆଦିଲ୍ଲୀ, ୫।୧: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଶୀଘ୍ର ଲୋକପ୍ରିୟ ଆମେରିକୀୟ ୟୁଟ୍ୟୁବର ମିଷ୍ଟର ବିଷ୍ଟ (MrBeast)ଙ୍କ ସହ ଏକ ଭିଡିଓରେ ନଜର ଆସିପାରନ୍ତି। ମିଷ୍ଟର ବିଷ୍ଟଙ୍କ ଏହି ଖୁଲାସା ପରେ କ୍ରିକେଟ ଓ ୟୁଟ୍ୟୁବ୍ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି।
ନିକଟରେ ଏକ ସାକ୍ଷାତକାରରେ ମିଷ୍ଟର ବିଷ୍ଟ କହିଛନ୍ତି ଯେ, ସେ ବିରାଟ କୋହଲିଙ୍କ ସହ ଏକ ୟୁଟ୍ୟୁବ୍ ଭିଡିଓ ଶୁଟ୍ କରିବାକୁ ଦୀର୍ଘଦିନ ଧରି ଚେଷ୍ଟା କରୁଛନ୍ତି। ସିଧାସଳଖ ବିରାଟଙ୍କୁ ସମ୍ବୋଧନ କରି ସେ କହିଛନ୍ତି, “ହାଏ ବିରାଟ କୋହଲି, ମୁଁ ତୁମ ସହ ଭିଡିଓ କରିବାକୁ ଚାହୁଁଛି।”
ଏହା ପୂର୍ବରୁ ମଧ୍ୟ ମିଷ୍ଟର ବିଷ୍ଟ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରି ବିଶ୍ୱପ୍ରସିଦ୍ଧ ତାରକାଙ୍କ ସହ କଣ୍ଟେଣ୍ଟ ତିଆରି କରି ସାରା ବିଶ୍ୱର ଦର୍ଶକଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ସେ କହିଛନ୍ତି ଯେ, ଭାରତ ତାଙ୍କର ସବୁଠାରୁ ବଡ଼ ଦର୍ଶକ ଆଧାର ମଧ୍ୟରୁ ଗୋଟିଏ ଏବଂ ଭାରତୀୟ ପ୍ରଶଂସକଙ୍କ ପାଇଁ କିଛି ବିଶେଷ କରିବା ତାଙ୍କ ଇଚ୍ଛା।
ଏହି ସହଯୋଗ ସମ୍ଭାବନା ମଧ୍ୟରେ, ମିଷ୍ଟର ବିଷ୍ଟ ତାଙ୍କର ଲୋକପ୍ରିୟ ରିଆଲିଟି ଶୋ’ ‘Beast Games Season 2’ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଏହି ଶୋ’ ୭ ଜାନୁଆରୀ ୨୦୨୬ରୁ ପ୍ରାଇମ ଭିଡିଓରେ ଷ୍ଟ୍ରିମ୍ ହେବାକୁ ଥିବା ବେଳେ, ଏଥିରେ ଭାରତୀୟ ୟୁଟ୍ୟୁବର କ୍ୟାରିମିନାଟିଙ୍କ ଉପସ୍ଥିତି ମଧ୍ୟ ରହିବ ବୋଲି ସେ ନିଶ୍ଚିତ କରିଛନ୍ତି।
ଶୋ’ର ଦ୍ୱିତୀୟ ସିଜନରେ ୨୦୦ ଜଣ ପ୍ରତିଯୋଗୀ ୫ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୪୧ କୋଟି ଟଙ୍କାରୁ ଅଧିକ ପୁରସ୍କାର ପାଇଁ ପ୍ରତିସ୍ପର୍ଧା କରିବେ।
ମିଷ୍ଟର ବିଷ୍ଟଙ୍କ ଏହି ଘୋଷଣା ପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଯଦି ବିରାଟ କୋହଲି ଓ ମିଷ୍ଟର ବିଷ୍ଟ ଏକାଠି କଣ୍ଟେଣ୍ଟ ତିଆରି କରନ୍ତି, ତେବେ ଏହା ଡିଜିଟାଲ ଦୁନିଆର ସବୁଠାରୁ ବଡ଼ ସହଯୋଗମାନଙ୍କ ମଧ୍ୟରୁ ଗୋଟିଏ ହେବ ବୋଲି ଆଲୋଚନା ହେଉଛି।





