ନୂଆଦିଲ୍ଲୀ, ୨୬।୧:
ବିଶ୍ୱର ଅଗ୍ରଣୀ ଇ–କମର୍ସ କମ୍ପାନୀ ଆମାଜନ ପୁଣି ଏକ ବଡ଼ ଧରଣର କର୍ମଚାରୀ ଛଟେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ ପ୍ରାୟ ୧୬,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିପାରେ। ଏହି ଛଟେଇର ପ୍ରଭାବ ଭାରତୀୟ ଟିମ୍ ଉପରେ ଅଧିକ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି।
ଏହି ପଦକ୍ଷେପ କମ୍ପାନୀର ୨୦୨୬ ମଧ୍ୟଭାଗ ସୁଦ୍ଧା ପ୍ରାୟ ୩୦,୦୦୦ କର୍ପୋରେଟ୍ ପଦବୀ ହ୍ରାସ କରିବା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭାବେ ଦେଖାଯାଉଛି। ପୂର୍ବରୁ ୨୦୨୫ ଅକ୍ଟୋବରରେ ଆମାଜନ ପ୍ରାୟ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା।
ଭାରତର ଟେକ୍ ହବ୍ ଗୁଡ଼ିକରେ ଆଶଙ୍କା
ଏଥର ଛଟେଇର ପ୍ରଭାବ ଭାରତର ବିଭିନ୍ନ କର୍ପୋରେଟ୍ ଅଫିସ୍ରେ ଦେଖାଯିବା ସମ୍ଭାବନା ରହିଛି। ବିଶେଷକରି ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ଭଳି ଟେକ୍ ହବ୍ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନେ ଅଧିକ ବିପଦରେ ରହିଛନ୍ତି।
ଏହି ଛଟେଇ ପ୍ରମୁଖତଃ ଆମାଜନ ୱେବ୍ ସର୍ଭିସେସ୍ (AWS), ପ୍ରାଇମ୍ ଭିଡିଓ, ରିଟେଲ୍ ଅପରେସନ୍ ଏବଂ HR (PXT) ବିଭାଗରେ କରାଯିବ।
AI ଯୋଗୁଁ ନୁହେଁ, ବ୍ୟୁରୋକ୍ରାସି କମେଇବା ଲକ୍ଷ୍ୟ
ଆମାଜନ ସିଇଓ ଆଣ୍ଡି ଜାସିଙ୍କ କହିବାନୁସାରେ, ଏହି ଛଟେଇ କୌଣସି ଆର୍ଥିକ ସଙ୍କଟ କିମ୍ବା କୃତ୍ରିମ ବୁଦ୍ଧିମତା (AI) ଯୋଗୁଁ ନୁହେଁ। କମ୍ପାନୀ ମଧ୍ୟରେ ଥିବା ଅତ୍ୟଧିକ ବ୍ୟୁରୋକ୍ରାସି, ଅନାବଶ୍ୟକ ମ୍ୟାନେଜମେଣ୍ଟ ସ୍ତର ଓ ଧୀର ନିଷ୍ପତ୍ତି ପ୍ରକ୍ରିୟାକୁ କମେଇ କାର୍ଯ୍ୟଦକ୍ଷତା ବଢ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
କର୍ମଚାରୀମାନଙ୍କ ମଧ୍ୟରେ ଅସ୍ଥିରତା
‘ବ୍ଲାଇଣ୍ଡ’ ଓ ‘ରେଡିଟ୍’ ଭଳି ଅନଲାଇନ୍ ପ୍ଲାଟଫର୍ମରେ ଆମାଜନ କର୍ମଚାରୀମାନେ ନିଜ ଆଶଙ୍କା ଏବଂ ଅନିଶ୍ଚୟତା ପ୍ରକାଶ କରୁଛନ୍ତି। ଖବର ଅନୁଯାୟୀ, ପର୍ଫର୍ମାନ୍ସ ଇମ୍ପ୍ରୁଭମେଣ୍ଟ ପ୍ଲାନ୍ (PIP) ରେ ଥିବା କର୍ମଚାରୀମାନେ ପ୍ରଥମେ ଛଟେଇର ଶିକାର ହୋଇପାରନ୍ତି। ଆମେରିକାର କିଛି ସ୍ଥାନରେ କମ୍ପାନୀ ପକ୍ଷରୁ ଆଗୁଆ ସୂଚନା (ନୋଟିସ୍) ମଧ୍ୟ ଜାରି କରାଯାଇଛି।





