ନୂଆଦିଲ୍ଲୀ: ୟୁପିଆଇ ଆଧାରିତ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନି ଫୋନପେ ପ୍ରାରମ୍ଭିକ ପବ୍ଲିକ୍ ଅଫର (ଆଇପିଓ) ଆଣିବାକୁ ପ୍ରସ୍ତୁତ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଫୋନପେର ଆଇପିଓ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହି ଆଇପିଓ ଜରିଆରେ କମ୍ପାନି ପ୍ରାୟ ୧୨ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।

ସେବିର ଅନୁମତି ପରେ ଫୋନପେ ଶୀଘ୍ର ଡ୍ରାଫ୍ଟ ରେଡ୍‌ ହେରିଂ ପ୍ରସ୍ପେକ୍ଟସ୍‌ (ଡିଆରଏଚ୍‌ପି) ଦାଖଲ କରିବ ବୋଲି ସୂଚନା ମିଳିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ କମ୍ପାନି ଗୋପନୀୟ ପ୍ରି-ଫାଇଲିଂ ପ୍ରକ୍ରିୟା ମାଧ୍ୟମରେ ଆଇପିଓ ପାଇଁ ଆବଶ୍ୟକ ଦଲିଲ ସେବିଙ୍କୁ ଦାଖଲ କରିଥିଲା।

ଫିନଟେକ୍ କ୍ଷେତ୍ରରେ ପେଟିଏମ୍‌ ପରେ ଫୋନପେର ଏହା ହେବ ଦ୍ୱିତୀୟ ବଡ଼ ଆଇପିଓ। ପୂର୍ବରୁ ୨୦୨୧ ମସିହାରେ ପେଟିଏମ୍‌ ପ୍ରାୟ ୧୮ ହଜାର କୋଟି ଟଙ୍କାର ଆଇପିଓ ଆଣିଥିଲା।

ୟୁପିଆଇ ପେମେଣ୍ଟ ବଜାରରେ ଫୋନପେର ପ୍ରଭୁତ୍ୱ ଅତ୍ୟଧିକ ରହିଛି। ବର୍ତ୍ତମାନ କମ୍ପାନିର ପ୍ରାୟ ୪୫ ପ୍ରତିଶତ ବଜାରଅଂଶ ରହିଥିବାବେଳେ, ଗୁଗଲ୍‌ପେ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ପ୍ରାୟ ୩୫ ପ୍ରତିଶତ ବଜାରଅଂଶ ଧାରଣ କରିଛି। ଦେଶର ଡିଜିଟାଲ ଲେନଦେନର ପ୍ରାୟ ୮୫ ପ୍ରତିଶତ ୟୁପିଆଇ ପ୍ଲାଟଫର୍ମ ମାଧ୍ୟମରେ ହେଉଥିବାରୁ, ଫୋନପେର ଆଇପିଓକୁ ନେଇ ନିବେଶକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଯାଉଛି।