ଡାଭୋସ: ବିଶ୍ୱବ୍ୟାଙ୍କ ସଭାପତି ଅଜୟ ବାଙ୍ଗା କହିଛନ୍ତି ଯେ ଆଗାମୀ ୧୨-୧୫ ବର୍ଷ ମଧ୍ୟରେ ଉଦୀୟମାନ ଦେଶଗୁଡ଼ିକର ୧୨୦ କୋଟି ଯୁବକଯୁବତୀ କାର୍ଯ୍ୟଯୋଗ୍ୟ ବୟସକୁ ପହଞ୍ଚିବେ, ଯେଉଁଥିରେ କେବଳ ପ୍ରାୟ ୪୦ କୋଟି ଚାକିରି ସୃଷ୍ଟି ହେବ। ଏହାର ଫଳରେ ଚାକିରି ବଜାର ଭୟଙ୍କର ପ୍ରତିଯୋଗିତାମୂଳକ ହେବ ବୋଲି ସେ ସତର୍କ କରିଛନ୍ତି।
ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀ ବାଙ୍ଗା କହିଥିଲେ ଯେ ଉଦୀୟମାନ ଦେଶଗୁଡ଼ିକ କେବଳ ବିକଶିତ ଦେଶମାନଙ୍କରୁ ଚାକିରି ଆଉଟସୋର୍ସିଂ ଉପରେ ନିର୍ଭର କରିଲେ ଚାଲିବ ନାହିଁ। ରାଜନୈତିକ ଓ ଭୂରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱଦେଶୀ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ।
ତାଙ୍କ କଥାମତେ, ସରକାର ଅଭିବୃଦ୍ଧିକୁ ସକ୍ଷମ କରିବା ନୀତି ନେଲେ ଓ ଘରୋଇ କ୍ଷେତ୍ର ନିଯୁକ୍ତି ସୃଷ୍ଟି କଲେ ମାତ୍ର ସ୍ଥାୟୀ ସମାଧାନ ସମ୍ଭବ। ଏଥିପାଇଁ ବ୍ୟବସାୟ-ଅନୁକୂଳ ନୀତି ସହିତ ଦୃଢ଼ ଭୌତିକ ଏବଂ ମାନବ ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।
ସିଙ୍ଗାପୁରର ଉଦାହରଣ ଦେଇ ସେ କହିଥିଲେ ଯେ ଏକ କ୍ଷମତାଶୀଳ ସରକାର ଯଦି ଘରୋଇ କ୍ଷେତ୍ରକୁ ସଶକ୍ତ କରେ ଏବଂ ବିଶେଷକରି ଅଣୁ ଓ କ୍ଷୁଦ୍ର ଉଦ୍ୟୋଗକୁ ସଠିକ୍ ଆର୍ଥିକ ସହାୟତା ଯୋଗାଇ ଦିଏ, ତେବେ ବଡ଼ ପରିମାଣରେ ନିଯୁକ୍ତି ସୃଷ୍ଟି ସମ୍ଭବ।
ବିଶ୍ୱବ୍ୟାଙ୍କ ଚାକିରି ପରିଷଦ ଯେଉଁ ପାଞ୍ଚଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଛି, ସେଥିରେ ଭିତ୍ତିଭୂମି, ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ କୃଷି ପ୍ରମୁଖ ବୋଲି ଶ୍ରୀ ବାଙ୍ଗା ସୂଚନା ଦେଇଥିଲେ।
କୃଷି କ୍ଷେତ୍ର ସନ୍ଦର୍ଭରେ ସେ କହିଥିଲେ, “ମୁଁ ଭାରତରେ ବଢ଼ିଛି। ପଞ୍ଜାବର ଚାଷୀମାନଙ୍କ ସହ ନିକଟରୁ ଜୀବନ ଦେଖିଛି। ଆଜି କ୍ଷୁଦ୍ର ଚାଷୀମାନେ ଚାଷକୁ ଲାଭଜନକ ମନେ ନ କରି ଜମି ବିକ୍ରି କରି ସହରମୁଖୀ ହେଉଛନ୍ତି।” ଏହି ପରିସ୍ଥିତି ବଦଳାଇବାକୁ ଚାଷୀମାନଙ୍କୁ ଉତ୍ତମ ମୂଲ୍ୟ, ପ୍ରଯୁକ୍ତି ଓ ବଜାର ପହଞ୍ଚ ଦେବା ଆବଶ୍ୟକ ବୋଲି ସେ ଜୋର ଦେଇଥିଲେ।





