ଛତିଶଗଡ଼, ୧୬ ଅକ୍ଟୋବର: ଛତିଶଗଡ଼ର ବିଜାପୁର ଜିଲ୍ଲା ଇତିହାସ ଗଢ଼ିବାକୁ ଯାଉଛି। ଏଠାରେ ଶୀଘ୍ର ହେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ମାଓବାଦୀ ଆତ୍ମସମର୍ପଣ। ଇନ୍ଦ୍ରାବତୀ ଏବଂ ମାଡ଼ ଡିଭିଜନର ୧୫୦ରୁ ଅଧିକ ମାଓବାଦୀ ଇନ୍ଦ୍ରାବତୀ ନଦୀ ଡେଇଁ ବିଜାପୁର ଅଭିମୁଖେ ଆସୁଛନ୍ତି। ଏହି ଆତ୍ମସମର୍ପଣ ପ୍ରକ୍ରିୟାରେ ସେଣ୍ଟ୍ରାଲ କମିଟି ସଦସ୍ୟ ଓ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ରୁପେଶ ନେତୃତ୍ୱ ନେଇଛନ୍ତି।
ପୁଲିସ ଏବଂ ବିଏସଏଫ୍ ତରଫରୁ ବିଜାପୁର ଓ ଇନ୍ଦ୍ରାବତୀ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। ଗତକାଲି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ସେଣ୍ଟ୍ରାଲ କମିଟି ମେମ୍ବର ଭୁପତି ଅରଫ ବେଣୁଗୋପାଲଙ୍କ ନେତୃତ୍ୱରେ ୬୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ।
ସେହି ପରି, ବିଜାପୁର ଜିଲ୍ଲାରେ ହେବାକୁ ଯାଉଥିବା ଏହି ଆତ୍ମସମର୍ପଣକୁ ନେଇ ପୁଲିସ ତୟାରିରେ ରହିଛି। ପାଖାପାଖି ୧୦୦ରୁ ଅଧିକ ଅସ୍ତ୍ର ସହିତ ମାଓବାଦୀମାନେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପହଞ୍ଚିବେ। ପରେ ସମସ୍ତଙ୍କୁ ବସ୍ ଯୋଗେ ଜଗଦଲପୁର ନିଆଯିବ, ଯେଉଁଠାରେ ସେମାନେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ଆତ୍ମସମର୍ପଣ କରିବେ।
ଏହାସହିତ କାଂକେର ଜିଲ୍ଲାରୁ ମଧ୍ୟ ବହୁ ନକ୍ସଲ ଆତ୍ମସମର୍ପଣ ପାଇଁ ଯାଉଥିବା ସୂଚନା ମିଳିଛି। ସେମାନଙ୍କୁ ମଧ୍ୟ ଜଗଦଲପୁରରେ ଏକତ୍ର କରାଯିବ। ଅନୁମାନ କରାଯାଉଛି, ମୋଟ ଆତ୍ମସମର୍ପଣକାରୀଙ୍କ ସଂଖ୍ୟା ୧୭୦ ଚାରିପାଖରେ ପହଞ୍ଚିବ।
ନକ୍ସଲ ଆନ୍ଦୋଳନରେ ମାଡ଼ ଡିଭିଜନ ସଦା ସକ୍ରିୟ ରହିଥିଲା। ତେବେ ରୁପେଶ ଭଳି ମୁଖ୍ୟ ନେତାଙ୍କ ଆତ୍ମସମର୍ପଣ ନେଇ ଅନେକ ଛୋଟ କ୍ୟାଡର ମାଓବାଦୀ ଏବେ ଜଙ୍ଗଲ ଛାଡ଼ି ମୁଖ୍ୟ ସ୍ରୋତରେ ଯୋଗିବାକୁ ଇଚ୍ଛୁଛନ୍ତି। ଏହି ଘଟଣା ପରେ ଛତିଶଗଡ଼ରୁ ମାଓବାଦୀ ଉତ୍ପାତ ଶିଘ୍ର ଶେଷ ହେବ ବୋଲି ଅନୁମାନ କରାଯାଉଛି।
ଏହା ଗୁରୁତ୍ୱପୂର୍ଣ୍ଣ ଯେ, କେବେକି ଦେଶର ୧୨୬ଟି ଜିଲ୍ଲା ମାଓବାଦୀ ଉତ୍ପାତରେ ପୀଡ଼ିତ ଥିଲା, ଯେଉଁଠାରୁ ଏବେ କେବଳ ୧୧ଟି ଜିଲ୍ଲାରେ ମାତ୍ର ତାଙ୍କର ପ୍ରଭାବ ଅବଶିଷ୍ଟ ରହିଛି।