ମାଲକାନଗିରି:

ମାଲକାନଗିରି ଜିଲ୍ଲା ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୪୧ ଜଣ ସକ୍ରିୟ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟଧାରାରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ପୁଲିସ ଆଗରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ଦୀର୍ଘ ସମୟ ଧରି ଏହି ସମସ୍ତ ମାଓବାଦୀ ମାଓ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟରତ ଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ଡିଭିସିଏମ, ଏସିଏମ, ସିପିସିଏମ, ପ୍ଲାଟୁନ କମିଟି ସଦସ୍ୟ ଏବଂ ପିଏଲଜିଏ ସଦସ୍ୟ ରହିଛନ୍ତି।

ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଜବତ

ଆତ୍ମସମର୍ପଣ ସମୟରେ ମାଓବାଦୀମାନେ ଏକେ–୪୭, ଇନସାସ, ଏସଏଲଆର, ୩୦୩ ବନ୍ଧୁକ, ସିଙ୍ଗଲ ସଟ୍ ରାଇଫଲ, ଏଲଏମଜି, ବିଏଲଜିଏ ବନ୍ଧୁକ, ଏୟାର ଗନ ସହ ମୋଟ ୨୪ ପ୍ରକାରର ଅସ୍ତ୍ରଶସ୍ତ୍ର ପୁଲିସ ନିକଟରେ ହସ୍ତାନ୍ତର କରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଛତିଶଗଡ଼ ଅଞ୍ଚଳର। ସେମାନେ ପୂର୍ବରୁ ତେଲେଙ୍ଗାନା ଏରିଆ କମିଟି ସହିତ ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମାଓ କାର୍ଯ୍ୟକଳାପରେ ଜଡିତ ଥିଲେ।

ପୁଲିସ ଅପରେସନର ପ୍ରଭାବ

ଲଗାତାର ପୁଲିସ ଅଭିଯାନ ଓ ଚାପରେ ମାଓବାଦୀମାନେ ଭୟଭୀତ ହୋଇ ଦଳ ଛାଡିବାକୁ ବାଧ୍ୟ ହୋଇଥିବା ପୁଲିସ କହିଛି। ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବା ସହ ଆଗାମୀ ଦିନରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପୁନର୍ବାସ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ଏତେ ବଡ଼ ସଂଖ୍ୟାରେ ମାଓବାଦୀ ଦଳ ଛାଡିବାରୁ ମାଓ ସଂଗଠନ ଦୁର୍ବଳ ହୋଇଥିବା ପୁଲିସ କହିଛି। ଏହାକୁ ଦଳ ପାଇଁ ଏକ ବଡ଼ ଆଘାତ ବୋଲି ମନାଯାଉଛି। ଆଗାମୀ ଦିନରେ ଜଙ୍ଗଲରେ ସକ୍ରିୟ ଥିବା ଅନ୍ୟ ମାଓବାଦୀମାନେ ମଧ୍ୟ ମୁଖ୍ୟଧାରାରେ ଫେରିବେ ବୋଲି ପୁଲିସ ଆଶା ପ୍ରକାଶ କରିଛି।