ମାଲକାନଗିରି, ୫ ସେପ୍ଟେମ୍ବର: ଛତିଶଗଡ଼ର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସୋମବାର ସକାଳୁ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଛି। ଏହି ସଘର୍ଷରେ ୬ ଜଣ ମାଓବାଦୀ ନିପାତ ହୋଇଥିବା ସହ ବହୁ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଏହି ଅଭିଯାନ ଥୁଲଥୁଲି ଜଂଗଲରେ ଚାଲିଥିଲା। ଗତକାଲି ଡିଆରଜି ଓ ଏସଟିଏଫ ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ସେଥିବେଳେ ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ପାଲଟା ଜବାବ ଦେବାରୁ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ପରେ ସର୍ଚ୍ଚ ଅପରେସନ ସମୟରେ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହା ପୂର୍ବରୁ ୨୮ ଅଗଷ୍ଟରେ ନାରାୟଣପୁର ସୀମାରେ ୪ ମାଓବାଦୀ ଏନକାଉଣ୍ଟରରେ ନିପାତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ଓ ମେ ମାସରେ ‘ଅପରେସନ ବ୍ଲାକ ଫରେଷ୍ଟ’ରେ ୩୧ ମାଓବାଦୀ ନିପାତ ହୋଇଥିଲେ।
ଚଳିତ ବର୍ଷରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ୨୦୨୩ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ୪୫୩ ମାଓବାଦୀ ମୃତ୍ୟୁବରଣ କରିଥିବାବେଳେ, ୧୬୧୬ ଜଣ ଗିରଫ ଓ ୧୬୬୬ ଜଣ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ‘ଅପରେସନ-୨୦୨୬’ ଆରମ୍ଭ ହୋଇଥିବା ସମୟରେ ଏହି ସଫଳତାକୁ ସୁରକ୍ଷା ବାହିନୀଙ୍କ ପାଇଁ ବଡ଼ ଅବଦାନ ବୋଲି ଧରାଯାଉଛି।