ରାଇରଙ୍ଗପୁର/ବିଜାତଳା:
Odishaର Rairangpur ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମରେ ବୃଦ୍ଧାଙ୍କୁ ପଥରରେ ଆକ୍ରମଣ କରି ହତ୍ୟା ଘଟଣାରେ ଫେରାର ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଲୋକନାଥ ସି (୪୫)ଙ୍କୁ Puneରୁ ଧରାଯାଇଥିବା ସୂଚନା ମିଳିଛି।
ଗତ ୯ ଫେବ୍ରୁଆରି ରାତିରେ ସର୍ଗତ ସବାନ ସିଂଙ୍କ ବୃଦ୍ଧା ସ୍ତ୍ରୀ ପୂର୍ଣ୍ଣିମା ସିଂ ଘରେ ଶୋଇଥିବାବେଳେ ଅଭିଯୁକ୍ତ ଘରଭିତରକୁ ପ୍ରବେଶ କରି ଆକ୍ରମଣ କରିଥିବା ଅଭିଯୋଗ ଥିଲା। ପରିବାର ଲୋକେ ସକାଳେ ଘଟଣା ଦେଖି ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ପୁଲିସ ଓ ବାରିପଦାରୁ ଆସିଥିବା ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ତଦନ୍ତରେ ଜମିଜମା ବିବାଦ କିମ୍ବା ପୂର୍ବ ଦ୍ୱେଷକୁ ନେଇ ଘଟଣା ଘଟିଥିବା ସନ୍ଦେହ କରାଯାଉଥିଲା। ଏନେଇ ଥାନା ଅଧିକାରୀଣୀ ବବିତା ରାଣୀ ପୁହାଣ କେସ୍ ନଂ ୩୦/୨୬ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ।
ତଦନ୍ତରେ ଜଣାପଡ଼ିଛି ଯେ ଅଭିଯୁକ୍ତ ଲୋକନାଥ ସି ଓରଫ୍ ମୋଟୁ ପୂର୍ଣ୍ଣିମାଙ୍କ ପରିବାର ସହ ପୂର୍ବରୁ ବିବାଦରେ ଜଡିତ ଥିଲେ। ସେ ପୂର୍ବରୁ ମହାରାଷ୍ଟ୍ରରେ ରହୁଥିବା ବେଳେ ଘଟଣା ପୂର୍ବରୁ ରାଜ୍ୟକୁ ଆସିଥିବା ପୁଲିସ ତଦନ୍ତରେ ଜଣାଯାଇଛି। ଘଟଣା ପରେ ସେ ଫେରାର ହୋଇ Puneକୁ ପଳାଇଥିଲେ।
ପୁଲିସ ଟିମ୍ ପୁନେରେ ଅଭିଯୁକ୍ତଙ୍କୁ ଗିରଫ କରି ରାଜ୍ୟକୁ ଆଣିଛି। ଆସନ୍ତାକାଲି ତାଙ୍କୁ କୋର୍ଟରେ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ପରିସ୍ଥିତି ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।





