ନୂଆଦିଲ୍ଲୀ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତର ଅହମଦାବାଦ ସହରକୁ ଆୟୋଜକ ଭାବରେ ସୁପାରିଶ କରାଯାଇଛି। କମନୱେଲଥ ଗେମ୍ସର କାର୍ଯ୍ୟନିର୍ବାହୀ ବୋର୍ଡ ଏହି ନିଷ୍ପତ୍ତି ନେଇଥିବାବେଳେ ଚୂଡ଼ାନ୍ତ ସମ୍ମତି ଆସିବ ୨୬ ନଭେମ୍ବର ୨୦୨୫ରେ ଗ୍ଲାସଗୋରେ ଅନୁଷ୍ଠିତ ସାଧାରଣ ସଭାରେ।
ଅହମଦାବାଦ ସହିତ ନାଇଜେରିଆର ଆବୁଜା ମଧ୍ୟ ଏହି ଗେମ୍ସ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲା। କମନୱେଲଥ ବୋର୍ଡ ଜଣାଇଛି ଯେ, ଅହମଦାବାଦର ପ୍ରସ୍ତାବ କେବଳ ଭାରତର କ୍ରୀଡା କ୍ଷମତାକୁ ନୁହେଁ, ବରଂ ଆଧୁନିକ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୂଲ୍ୟବୋଧ ଓ ବିବିଧତାକୁ ପ୍ରତିଫଳିତ କରେ।
ଭାରତ ଶେଷ ଥର ପାଇଁ ୨୦୧୦ ମସିହାରେ ନୂଆଦିଲ୍ଲୀରେ ଏହି ଗେମ୍ସ ଆୟୋଜନ କରିଥିଲା। ବର୍ମିଂହାମ ୨୦୨୨ ଗେମ୍ସରେ ଭାରତ ଚତୁର୍ଥ ସ୍ଥାନ ହାସଲ କରିଥିଲା।
କମନୱେଲଥ କ୍ରୀଡ଼ାର ମଧ୍ୟବର୍ତ୍ତୀକାଳୀନ ସଭାପତି ଡ଼. ଡୋନାଲ୍ଡ ରୁକାରେ କହିଛନ୍ତି, “ଭାରତ ଓ ନାଇଜେରିଆ ଉଭୟ ଦେଶର ପ୍ରସ୍ତାବ ପ୍ରେରଣାଦାୟକ ଥିଲା। ଆମେ ମୂଲ୍ୟାଙ୍କନ କମିଟିର ନିଷ୍କର୍ଷ ଅନୁସାରେ ଅହମଦାବାଦକୁ ସୁପାରିଶ କରୁଛୁ।”
ସେ ଆହୁରି କହିଛନ୍ତି ଯେ, ନାଇଜେରିଆର ପ୍ରସ୍ତାବ ମଧ୍ୟ ଶକ୍ତିଶାଳୀ ଥିଲା ଓ ଭବିଷ୍ୟତରେ ସେମାନଙ୍କ ସହ ଆୟୋଜନ ସୁଯୋଗ ଉପରେ କାମ କରାଯିବ, ବିଶେଷତଃ ୨୦୩୪ ଗେମ୍ସ ପାଇଁ।
କମନୱେଲଥ ଗେମ୍ସ ଆସୋସିଏସନ ଇଣ୍ଡିଆର ସଭାପତି ଡ଼. ପି.ଟି. ଉଷା କହିଛନ୍ତି, “ଅହମଦାବାଦରେ ଶତବାର୍ଷିକୀ କମନୱେଲଥ ଗେମ୍ସ ଆୟୋଜନ ହେବା ଭାରତ ପାଇଁ ଗର୍ବର ବିଷୟ ହେବ। ଏହା ଯୁବପିଢ଼ିଙ୍କୁ ପ୍ରେରଣା ଦେବା ସହିତ ଭାରତର ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷମତା ଦେଖାଇବ।”