ନୂଆଦିଲ୍ଲୀ/ଭୁବନେଶ୍ୱର:

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର ଗୁଗୁଲ୍ ପକ୍ଷରୁ ଆୟୋଜିତ ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ ଯୋଗଦେଇ ସେ ଭାରତରେ ଏକ ‘ଏଆଇ-ପ୍ରସ୍ତୁତ ପିଢ଼ି’ ଗଠନ ଉପରେ ଜୋର ଦେଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶରେ ଏଆଇ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଶିଳ୍ପ-ଶିକ୍ଷା ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଏହି ପରିପ୍ରେକ୍ଷିତରେ ଗୁଗୁଲ୍ ସହଯୋଗରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଏବଂ ଏଥିପାଇଁ ୮ ମିଲିୟନ୍ ଆମେରିକୀୟ ଡଲାର୍ ବିନିଯୋଗକୁ ସେ ପ୍ରଶଂସା କରିଛନ୍ତି। ସେହିପରି ଆଇଆଇଟି ବମ୍ବେରେ ‘ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍’ ପ୍ରତିଷ୍ଠା ପାଇଁ ଗୁଗୁଲ୍ ପକ୍ଷରୁ ଦିଆଯାଇଥିବା ୨ ମିଲିୟନ୍ ଡଲାର୍ ଅନୁଦାନକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ‘ଇଣ୍ଡିଆ ଏଆଇ ମିସନ୍’ ସହ ଏପରି ରଣନୀତିକ ଭାଗିଦାରୀ ଭାରତକୁ ବିଶ୍ୱସ୍ତରରେ ଏକ ମୁଖ୍ୟ ଏଆଇ ଶକ୍ତିକେନ୍ଦ୍ର ରୂପେ ଉଦ୍‌ଭାସିତ କରିବ। ସେ ଗୁଗୁଲ୍ ଭଳି ବୈଶ୍ୱିକ ସଂସ୍ଥାମାନଙ୍କୁ କେବଳ ଅର୍ଥିକ ସହଯୋଗରେ ସୀମିତ ନ ରହି, ଦୀର୍ଘମିଆଦୀ ସାଂସ୍ଥାନିକ ଭାଗିଦାରୀ ସ୍ଥାପନ କରିବାକୁ ଆହ୍ୱାନ ଜଣାଇଛନ୍ତି। ଏହା ମାଧ୍ୟମରେ ଭାରତ ବିଶ୍ୱସ୍ତରୀୟ ଏଆଇ ମୂଲ୍ୟ ସୃଷ୍ଟିର କେନ୍ଦ୍ର ହୋଇ ‘ବିକଶିତ ଭାରତ’ ଲକ୍ଷ୍ୟ ପ୍ରାପ୍ତି ଦିଗରେ ଆଗୁଆଁ ହେବ ବୋଲି ସେ କହିଛନ୍ତି।

ସମ୍ମିଟ୍ ପରେ କେନ୍ଦ୍ରମନ୍ତ୍ରୀ ଗୁଗୁଲ୍ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ଓ ଉପସଭାପତି ପ୍ରୀତି ଲୋବାନା ସହ ଗୁଗୁଲ୍ ନେତୃତ୍ୱ ଦଳଙ୍କ ସହ ଆଲୋଚନା କରିଥିଲେ।

ଉନ୍ନତ ଶିକ୍ଷାକୁ ସୁଗମ କରିବାରେ ପ୍ରଯୁକ୍ତିର ଭୂମିକା

ଏହି ବୈଠକରେ ଡିଜିଟାଲ୍ ବ୍ୟବଧାନ ହ୍ରାସ, ପ୍ରଯୁକ୍ତିର ଗଣତାନ୍ତ୍ରିକୀକରଣ, ଦୂରଦୂରାନ୍ତ ଅଞ୍ଚଳରେ ଉନ୍ନତ ଶିକ୍ଷାକୁ ସୁଗମ କରିବା ଏବଂ ବଡ଼ ଭାଷା ମଡେଲ୍‌ଗୁଡ଼ିକୁ ଭାରତୀୟ ଭାଷା ଓ ଭାରତୀୟ ସଂସ୍କୃତି ସହ ସମନ୍ୱୟ କରିବା ଭଳି ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା। ଏହି ପଦକ୍ଷେପଗୁଡ଼ିକ ଶିକ୍ଷା ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଆଗାମୀ ଯାତ୍ରାକୁ ନୂତନ ଦିଗ ଦେବ ବୋଲି ଆଶା ବ୍ୟକ୍ତ କରାଯାଇଛି।