ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବାର ଲକ୍ଷ୍ୟ ସାଧନରେ କୃତ୍ରିମ ବୁଦ୍ଧିମତା (AI) ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି International Monetary Fund ର ପରିଚାଳନା ନିର୍ଦ୍ଦେଶକ Kristalina Georgieva କହିଛନ୍ତି।

ନୂଆଦିଲ୍ଲୀର Bharat Mandapam ରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେଇ ସେ କହିଥିଲେ ଯେ, ଆଇଏମଏଫ୍‌ର ଗବେଷଣା ଅନୁଯାୟୀ ବିଶ୍ୱ ଅଭିବୃଦ୍ଧିରେ ଏଆଇର ଅବଦାନ ଉଲ୍ଲେଖନୀୟ ହେବ। ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ୍‌ ଡଲାର ଅର୍ଥନୀତି ହେବାକୁ ଲକ୍ଷ୍ୟ ରଖିଥିବାରୁ, ଏଆଇରେ ବିନିଯୋଗ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ତେବେ ଏଆଇର ସୁଯୋଗ ସହ ଚାଲେଞ୍ଜ ମଧ୍ୟ ରହିଛି ବୋଲି ସେ ସତର୍କ କରିଛନ୍ତି। ବିଶ୍ୱସ୍ତରରେ ପ୍ରାୟ ୪୦ ଶତାଂଶ ନିଯୁକ୍ତିରେ ଏଆଇ ପ୍ରଭାବ ପକାଇପାରେ ବୋଲି ସେ ଉଲ୍ଲେଖ କରିଥିଲେ। ସେହିପରି ଏଆଇର ଅପବ୍ୟବହାର ରୋକିବା ପାଇଁ ଦୃଢ଼ ପ୍ରଯୁକ୍ତିଗତ ଏବଂ ନୀତିଗତ ପଦକ୍ଷେପ ଆବଶ୍ୟକ ବୋଲି ମତ ଦେଇଛନ୍ତି।

ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ସମ୍ମିଳନୀର ପଞ୍ଚମ ଦିନରେ ପ୍ରଧାନମନ୍ତ୍ରୀ Narendra Modi ବିଭିନ୍ନ ଏଆଇ କମ୍ପାନି ଏବଂ ପ୍ରଯୁକ୍ତି ସଂସ୍ଥାର ସିଇଓମାନଙ୍କ ସହ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟସେବା, କୃଷି, ସାଇବର ସୁରକ୍ଷା, ପରିବେଶ ସୁରକ୍ଷା ଓ ସାମାଜିକ ସଶକ୍ତୀକରଣ ଭଳି କ୍ଷେତ୍ରରେ କାର୍ଯ୍ୟରତ ୧୬ଟି ସଂସ୍ଥାର ପ୍ରତିନିଧିମାନେ ବେୈଠକରେ ଯୋଗଦେଇଥିଲେ।

ଭାରତର ଆବଶ୍ୟକତା ଅନୁଯାୟୀ ଏଆଇ ଜ୍ଞାନକୌଶଳ ଉନ୍ନତି, ଷ୍ଟାର୍ଟଅପ୍‌ମାନଙ୍କୁ ପ୍ରୋତ୍ସାହନ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଏଆଇ ଖେତ୍ରରେ ନବୋନ୍ମେଷ କରୁଥିବା ଉଦ୍ୟମୀମାନଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଦାୟିତ୍ୱଶୀଳ ଓ ନିର୍ଭରଯୋଗ୍ୟ ଏଆଇ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।

ଭାରତ ବିଶ୍ୱ ବଜାରରେ ଏଆଇ ଅବସରକୁ ସଠିକ୍ ଭାବେ ନେବା ଦ୍ୱାରା ‘ବିକଶିତ ଭାରତ’ ଲକ୍ଷ୍ୟ ପ୍ରାପ୍ତିରେ ଆଗୁଆଁ ବଢ଼ିପାରିବ ବୋଲି ବେୈଠକରେ ମତ ପ୍ରକାଶ ପାଇଛି।