ନୂଆଦିଲ୍ଲୀ:

ଅମ୍ବାନୀ ପରିବାରର ଧାର୍ମିକ ଆସ୍ଥା ସମସ୍ତଙ୍କୁ ଜଣାଶୁଣା। ହିନ୍ଦୁ ଧର୍ମର ପୂଜାପର୍ବ ଓ ଆଧ୍ୟାତ୍ମିକ ଆନୁଷ୍ଠାନରେ ସେମାନେ ସଦା ସକ୍ରିୟ ଭାଗନେଇଥାନ୍ତି। ସାଇବାବାଙ୍କ ପ୍ରତି ଗଭୀର ଆସ୍ଥା ରଖୁଥିବା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ସୋମବାର ଶିରିଡି ଯାଇ ସାଇବାବାଙ୍କ ଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, ଅନନ୍ତ ଅମ୍ବାନୀ ସାଇବାବାଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଆଳତୀରେ ଅଂଶଗ୍ରହଣ କରିଥିଲେ। ଧୂପ ଆଳତୀ ପରେ ସେ ସାଇବାବାଙ୍କ ସମାଧିରେ ନୀଳ ରଙ୍ଗର ଚାଦର ଅର୍ପଣ କରିଥିଲେ। ମନ୍ଦିର ପକ୍ଷରୁ ସାଇ ବାବା ସଂସ୍ଥାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋରକ୍ଷ ଗାଡିଲକର ତାଙ୍କୁ ସ୍ୱାଗତ କରିଥିଲେ।

ଦର୍ଶନ ଓ ପୂଜା ସମ୍ପନ୍ନ କରିବା ପରେ ଅନନ୍ତ ଅମ୍ବାନୀ ରିଲାଏନ୍ସ ବିଜନେସ୍ ଗ୍ରୁପ ପକ୍ଷରୁ ସାଇବାବା ମନ୍ଦିରକୁ ୫ କୋଟି ଟଙ୍କା ଦାନ କରିଥିଲେ। ଏହି ଦାନରାଶି ସେ ଚେକ ମାଧ୍ୟମରେ ସଂସ୍ଥାନ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।

ଅନନ୍ତ ଅମ୍ବାନୀ ତାଙ୍କର ଧାର୍ମିକ ଆସ୍ଥା ପାଇଁ ପୂର୍ବରୁ ମଧ୍ୟ ପରିଚିତ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସେ ଜାମନଗରରୁ ଦ୍ୱାରକା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ସେହି ପଦଯାତ୍ରା ସମୟରେ ପ୍ରାୟ ୧୦ରୁ ୧୫ କିଲୋମିଟର ହାଟି ରାସ୍ତାରେ ପଡୁଥିବା ବିଭିନ୍ନ ମନ୍ଦିରରେ ଦର୍ଶନ ଓ ପୂଜାପାଠ କରିଥିଲେ, ଯାହା ତାଙ୍କର ଆଧ୍ୟାତ୍ମିକ ଆସ୍ଥାକୁ ପୁନର୍ବାର ପ୍ରମାଣ କରେ।