ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ସମୟରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ରବିବାର ମଧ୍ୟାହ୍ନରେ ଘଟିଥିବା ଏହି ଏନକାଉଣ୍ଟରରେ ସ୍ବତନ୍ତ୍ର ବାହିନୀର ହାବିଲଦାର ଗଜେନ୍ଦ୍ର ସିଂହ ଅଦମ୍ୟ ସାହସ ଓ ବୀରତା ପ୍ରଦର୍ଶନ କରି ଦେଶ ପାଇଁ ଜୀବନ ଦାନ କରିଛନ୍ତି।

‘ଏକ୍ସ’ (ପୂର୍ବତନ ଟ୍ୱିଟର)ରେ ଜାରି ହୋଇଥିବା ଏକ ପୋଷ୍ଟରେ ହ୍ୱାଇଟ୍‌ ନାଇଟ୍‌ କର୍ପସ୍‌ ପକ୍ଷରୁ କୁହାଯାଇଛି ଯେ, ଅପରେସନ ସମୟରେ ହାବିଲଦାର ସିଂହ ଅସାଧାରଣ ବୀରତ୍ୱ ଓ ଦୁଃସାହସିକତାର ପରିଚୟ ଦେଇଥିଲେ। ଭାରତୀୟ ସେନାର ପରମ୍ପରା ଅନୁଯାୟୀ ସେ ଦେଶ ପାଇଁ ନିସ୍ୱାର୍ଥ ସେବା ଓ ବଳିଦାନ ଦେଇଥିବା କୁହାଯାଇଛି।

ସେନାର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି), ହ୍ୱାଇଟ୍‌ ନାଇଟ୍‌ କର୍ପସ୍‌ ସହ ସମସ୍ତ ସେନା ଅଧିକାରୀ ହାବିଲଦାର ସିଂହଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ସହ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସେନା ପକ୍ଷରୁ ଗଭୀର ସମବେଦନା ବ୍ୟକ୍ତ କରାଯାଇଛି ଏବଂ ଏହି କଠିନ ସମୟରେ ପରିବାର ସହ ସେନା ଦୃଢ଼ଭାବେ ରହିବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, କିସ୍ତୱାଡ଼ର ଚାତରୁ ଅଞ୍ଚଳର ସୋନ୍‌ ନାର୍‌ ଜଙ୍ଗଲରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହା ପରେ ସେନା ଓ ସ୍ଥାନୀୟ ପୁଲିସର ଯୁକ୍ତ ଦଳ ପକ୍ଷରୁ ‘ଅପରେସନ ତ୍ରାଶି’ ଆରମ୍ଭ କରାଯାଇଥିଲା। ଏନକାଉଣ୍ଟର ସମୟରେ ଜଣେ ସେନା ଯବାନ ସହିଦ ହୋଇଥିବାବେଳେ ୭ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।