ଚିଞ୍ଚୱାଡ (ପୁଣେ): ରାସ୍ତା ନିର୍ମାଣ କାମ ଚାଲିଥିବା ସମୟରେ ଘଟିଥିବା ଏକ ଭୟାବହ ଦୁର୍ଘଟଣାରେ ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ପୁଣେର ଚିଞ୍ଚୱାଡ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ତାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି ଏବଂ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।
ସୂଚନା ଅନୁଯାୟୀ, ରାସ୍ତା କାମର ନିରୀକ୍ଷଣ କରୁଥିବା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିଜ ମୋବାଇଲ୍ ଫୋନ୍ରେ ବ୍ୟସ୍ତ ଥିଲେ। ଏହି ସମୟରେ ପଛୁଆ ଗତିରେ ଆସୁଥିବା ଏକ ରୋଡ୍ ରୋଲରକୁ ସେ ଧ୍ୟାନ ଦେଇପାରିନଥିଲେ। ଫଳରେ ରୋଲରଟି ତାଙ୍କୁ ଚାପି ଦେଇଥିଲା, ଯାହାରେ ସେ ଗୁରୁତର ଆହତ ହୋଇଥିଲେ।
ଘଟଣାସ୍ଥଳରେ ଥିବା କର୍ମଚାରୀମାନେ ତୁରନ୍ତ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅସାବଧାନତା ହେତୁ ଏହି ଦୁର୍ଘଟଣା ଘଟିଛି।
ପୋଲିସ୍ ଘଟଣା ସମ୍ପର୍କରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ସମ୍ପୂର୍ଣ୍ଣ ଘଟଣାର କାରଣ ଓ ଦାୟିତ୍ୱ ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।





