ନୂଆଦିଲ୍ଲୀ: ୨୦୨୫ ଡିସେମ୍ବର ମାସରେ ଇଣ୍ଡିଗୋ ପକ୍ଷରୁ ଘଟିଥିବା ବ୍ୟାପକ ବିମାନ ସେବା ବିଘ୍ନ ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କମ୍ପାନି ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଆରୋପ କରିଛି। ନିୟମ ଉଲ୍ଲଂଘନକୁ ଗୁରୁତ୍ୱର ସହ ନେଇ ଡିଜିସିଏ ଏହି କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଡିଜିସିଏ ଅନୁସାରେ, ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର)କୁ ଏକାଧିକ ଥର ଉଲ୍ଲଂଘନ କରିଥିବାରୁ ଇଣ୍ଡିଗୋ ଉପରେ ୧.୮୦ କୋଟି ଟଙ୍କା ଜରିମାନା ଲଗାଯାଇଛି। ସେହିପରି ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ସ (ଏଫ୍‌ଡିଟିଏଲ୍‌)କୁ ୬୮ ଦିନ ଧରି ଲଗାତାର ଭାବେ ପାଳନ କରାଯାଇନଥିବାରୁ ପ୍ରତିଦିନ ୩୦ ଲକ୍ଷ ଟଙ୍କା ହିସାବରେ ମୋଟ ୨୦.୪୦ କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

ବିମାନ ସେବାରେ ଘଟିଥିବା ଅସାମାନ୍ୟ ବିଘ୍ନ ପରେ ଡିଜିସିଏ ପକ୍ଷରୁ ୪ ସଦସ୍ୟ ବିଶିଷ୍ଟ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ତଦନ୍ତ ସମୟରେ ଏୟାରଲାଇନ୍ସର ପରିଚାଳନା ବ୍ୟବସ୍ଥାରେ ଗୁରୁତର ଅଭାବ ଥିବା କମିଟି ଚିହ୍ନଟ କରିଥିଲା। ବିଶେଷକରି ଏଫ୍‌ଡିଟିଏଲ୍‌କୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବାରେ କମ୍ପାନି ବିଫଳ ହୋଇଥିବା ଉଲ୍ଲେଖ କରାଯାଇଛି। ଏହି ପ୍ରସଙ୍ଗରେ ଡିଜିସିଏ ଇଣ୍ଡିଗୋର ବରିଷ୍ଠ ଅଧିକାରୀମାନଙ୍କୁ ସମନ ଜାରି କରି ସ୍ପଷ୍ଟୀକରଣ ମାଗିଥିଲା।

ନୂଆ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ସ ନିୟମ କାର୍ଯ୍ୟକାରୀ ହେବା ପରେ ଇଣ୍ଡିଗୋର ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଡିସେମ୍ବର ୩ରୁ ୫ ମଧ୍ୟରେ ପ୍ରାୟ ୨,୫୦୭ଟି ବିମାନ ଉଡାଣ ବାତିଲ ହୋଇଥିବାବେଳେ ୧,୮୫୨ଟି ଉଡାଣ ବିଳମ୍ବିତ ହୋଇଥିଲା। ଏହାର ପରିଣାମସ୍ୱରୂପ ଦେଶର ବିଭିନ୍ନ ବିମାନବନ୍ଦରରେ ଲକ୍ଷାଧିକ ଯାତ୍ରୀ ଦୀର୍ଘ ସମୟ ଧରି ଅଟକି ରହି ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ବିମାନ ସେବା ବିଘ୍ନ ସହିତ ସହିତ ଭାଡ଼ା ମୂଲ୍ୟରେ ମଧ୍ୟ ହଠାତ୍ ବୃଦ୍ଧି ଦେଖାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରି ବିମାନ ଭାଡ଼ାର ସର୍ବୋଚ୍ଚ ସୀମା ଘୋଷଣା କରିବାକୁ ପଡ଼ିଥିଲା।