ଢାକା, ୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଘଟଣାକୁ ନେଇ ଦେଶ ଭିତରେ ଓ ବାହାରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହେବା ପରେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏହି ଗିରଫ ସମ୍ପର୍କରେ ଘୋଷଣା କରିଛନ୍ତି।
ୟୁନୁସ କହିଛନ୍ତି ଯେ ଏହି ଘଟଣାରେ ଦୋଷୀମାନଙ୍କୁ କେବେ ବି ଛାଡ଼ାଯିବ ନାହିଁ ଏବଂ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ସରକାରୀ ସୂଚନା ଅନୁସାରେ, ଲିଞ୍ଚିଂର ଶିକାର ହୋଇଥିବା ୨୭ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ଜଣେ ହିନ୍ଦୁ ଯୁବକ ଥିଲେ। ତାଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା ଏବଂ ଘଟଣାସ୍ଥଳେ ତାଙ୍କ ମୃତ୍ୟୁ ହୋଇଥିଲା।
ରାପିଡ ଆକ୍ସନ ବାଟାଲିଅନ (RAB) ଏହି ମାମଲାର ତଦନ୍ତ କରି ୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ— ମହମ୍ମଦ ଲିମନ ସରକାର (୧୯), ମହମ୍ମଦ ତାରିକ ହୁସେନ (୧୯), ମହମ୍ମଦ ମାଣିକ ମିଆଁ (୨୦), ଇରଶାଦ ଅଲି (୩୯), ନିଜୁମ ଉଦ୍ଦିନ (୨୦), ଆଲମଗିର ହୁସେନ (୩୮) ଓ ମହମ୍ମଦ ମିରାଜ ହୁସେନ ଆକନ (୪୬)।
ୟୁନୁସଙ୍କ କହିବା ଅନୁସାରେ, RAB-୧୪ ଦଳ ମୈମନସିଂର ବିଭିନ୍ନ ଅଞ୍ଚଳରେ ସମନ୍ୱିତ ଅଭିଯାନ ଚଳାଇ ଅଭିଯୁକ୍ତମାନଙ୍କୁ ଧରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଆଗାମୀ ଦିନରେ ଆଉ ଗିରଫ ହେବାର ସମ୍ଭାବନା ଥିବା ସେ କହିଛନ୍ତି।
ଏହି ଲିଞ୍ଚିଂ ଘଟଣା ଯୁବ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ଦେଶରେ ବୃଦ୍ଧି ପାଇଥିବା ଉତ୍ତେଜନା ଓ ହିଂସା ମଧ୍ୟରେ ଘଟିଥିଲା। ହାଦି ଛାତ୍ର ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ଏବଂ ଡିସେମ୍ବର ୧୨ରେ ତାଙ୍କ ଉପରେ ଗୁଳି ଆକ୍ରମଣ ହୋଇଥିଲା। ଚିକିତ୍ସା ପାଇଁ ସିଙ୍ଗାପୁରକୁ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣାକୁ ବାଂଲାଦେଶ ସରକାର କଠୋର ଭାବେ ନିନ୍ଦା କରି କହିଛି ଯେ ‘ନୂଆ ବାଂଲାଦେଶରେ ଏପରି ହିଂସାର କୌଣସି ସ୍ଥାନ ନାହିଁ’। ସରକାର ଲୋକମାନଙ୍କୁ ଶାନ୍ତି ବଜାୟ ରଖିବା, ଗୁଜବରୁ ଦୂରେ ରହିବା ଏବଂ ଆଇନ-ଶୃଙ୍ଖଳା ରକ୍ଷାରେ ସହଯୋଗ କରିବାକୁ ଆହ୍ୱାନ କରିଛି।





