ମଥୁରା: ଉତ୍ତରପ୍ରଦେଶର ପ୍ରସିଦ୍ଧ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଏବେ ‘ଭିଆଇପି’ ଦର୍ଶନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ସୁପାରିଶ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଶୁକ୍ରବାର ମନ୍ଦିର ପରିଚାଳନା କମିଟି ଘୋଷଣା କରିଛି ଯେ, ଭିଆଇପି ପାସ ଓ ବିଶେଷ ସ୍ଲିପ୍ କଟି ଦର୍ଶନ କରିବାର ବ୍ୟବସ୍ଥାକୁ ତୁରନ୍ତ ପ୍ରଭାବରୁ ବିଲୁପ୍ତ କରାଯାଇଛି। ଏଥିସହିତ, ମନ୍ଦିରରେ ସିଧା ପ୍ରସାରଣ (Live Streaming) ସୁବିଧା ଆରମ୍ଭ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ସମାନ ସୁବିଧା ପାଇଁ ପଦକ୍ଷେପ
ଜିଲ୍ଲା ସୂଚନା ଅଧିକାରୀଙ୍କ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଆଗାମୀଦିନରେ ପ୍ରତ୍ୟେକ ଭକ୍ତଙ୍କୁ ଧାଡ଼ିରେ ଠିଆ ହୋଇ ନିଜ ପାଳିରେ ଦର୍ଶନ କରିବାକୁ ପଡିବ। ଏହା ଫଳରେ ମନ୍ଦିର ପ୍ରଶାସନଙ୍କ ଉପରେ ଭେଦଭାବର ଅଭିଯୋଗ ଆସିବ ନାହିଁ ଏବଂ ସମସ୍ତଙ୍କ ପାଇଁ ସମାନ ସୁବିଧା ସୁନିଶ୍ଚିତ ହେବ।