ଲକ୍ଷ୍ଣୌ: ଉତ୍ତରପ୍ରଦେଶର ବରେଲୀରେ ଶୁକ୍ରବାରୀୟ ନମାଜ ପରେ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ‘ଆଇ ଲଭ ମହମ୍ମଦ’ ପୋଷ୍ଟରକୁ ନେଇଥିବା ବିବାଦରୁ ସହରର ଅନେକ ସ୍ଥାନରେ ହିଂସା ଭଡକିଯାଇଥିଲା।
ପୋଷ୍ଟର ଛିଣିଯିବା ଓ ତାହାକୁ ରାସ୍ତାରେ ପଡ଼ିଥିବା ଅବସ୍ଥାରେ ଲୋକ ଉପରେ ଚାଲିଯିବାକୁ ନେଇ ମହମ୍ମଦଙ୍କ ପ୍ରତି ଅପମାନ ହୋଇଛି ବୋଲି ଦାବି କରି ମୁସଲିମ ସମାଜର କିଛି ଲୋକ ପ୍ରଦର୍ଶନ କରିଥିଲେ। ଶତାଧିକ ଲୋକ ବ୍ୟାନର ଓ ପୋଷ୍ଟର ନେଇ ରାସ୍ତାରେ ମାଡ଼ିଆସିଥିଲେ। ପୋଲିସ ବୁଝାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଭିଡ଼ ଅସମ୍ଭାଳ ହେବାରୁ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା।
ଆଇଜି ଅଜୟ ସାହାଣୀ କହିଛନ୍ତି, “ସକାଳଠାରୁ ପୋଲିସ ଲୋକଙ୍କୁ ଶାନ୍ତିରେ ପ୍ରାର୍ଥନା କରିବାକୁ ବୁଝାଇଆସୁଥିଲା। ୯୫% ଲୋକ ଘରକୁ ଫେରିଥିଲେ। କିନ୍ତୁ କିଛି ଦୁର୍ବୃତ୍ତ ଆସି ପଥରବାଜି ଓ ଗୁଳି ଚଳାଇଥିଲେ।”
ଘଟଣାରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। କିଛି ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ସହରର ୩-୪ଟି ସ୍ଥାନରେ ଅସନ୍ତୋଷ ଦେଖାଦେଇଥିବାରୁ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା ଓ ବଜାର ବନ୍ଦ କରାଯାଇଛି।
ଏହି ଘଟଣା ପରେ, ମଧ୍ୟପ୍ରଦେଶର ଭୋପାଲରେ ଯୁବମାନେ ‘ଆଇ ଲଭ ମହମ୍ମଦ’ ଷ୍ଟିକର ଲଗାଇ ଗାଡ଼ିରେ ରାଲି କରିଥିବା ଖବର ମିଳିଛି।