ବିଳାସପୁର: ଛତିଶଗଡ଼ର ବିଳାସପୁର ଜିଲ୍ଲା ଲାଲଖାଦାନ ନିକଟରେ ଘଟିଛି ଭୟାବହ ଟ୍ରେନ ଦୁର୍ଘଟଣା। ମାଲବାହୀ ଟ୍ରେନକୁ ଏକ ଯାତ୍ରୀବାହୀ ମେମୁ ଟ୍ରେନ ପଛରୁ ଧକ୍କା ଦେବା ପରେ ଘଟିଥିବା ଏହି ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ହାରିଛନ୍ତି। ମୃତକମାନଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ — ଲୋକୋପାଇଲଟ, ଆସିଷ୍ଟାଣ୍ଟ ଲୋକୋପାଇଲଟ ଓ ଟ୍ରେନ୍ ମ୍ୟାନେଜର ଅଛନ୍ତି।
ଧକ୍କା ପରେ ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ମେମୁ
ପ୍ରାଥମିକ ସୂଚନା ଅନୁଯାୟୀ, ଯାତ୍ରୀବାହୀ ଟ୍ରେନଟି ମାଲବାହୀ ଟ୍ରେନ୍କୁ ପଛରୁ ଧକ୍କା ଦେବା ସମୟରେ ତାହାର କିଛି ବୋଗି ମାଲବାହୀ ଟ୍ରେନ୍ ଉପରେ ଚଢ଼ିଯାଇଥିଲା। ଏହା ଫଳରେ ଭୟଙ୍କର ଧ୍ବଂସ ଘଟିଥିଲା ଓ ଅନେକ ଯାତ୍ରୀ ଟ୍ରେନ ଭିତରେ ଅଟକି ଯାଇଥିଲେ।
ଉଦ୍ଧାର କାର୍ଯ୍ୟ ଜାରି
ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଛତିଶଗଡ଼ ସରକାରୀ ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଉଦ୍ଧାର ଦଳ ଗ୍ୟାସ କଟର ମାଧ୍ୟମରେ ଲୁହା କାଟି ଟ୍ରେନ ଭିତରେ ଅଟକିଥିବା ଲୋକମାନଙ୍କୁ ବାହାର କରୁଛନ୍ତି। ଏହି ସମୟରେ ଦୁର୍ଘଟଣାସ୍ଥଳକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି।
ଗାର୍ଡ ଫେରାର, ତଦନ୍ତ ଜାରି
ଦୁର୍ଘଟଣା ପରେ ମାଲବାହୀ ଟ୍ରେନର ଗାର୍ଡ ଫେରାର ହେବା ସୂଚନା ମିଳିଛି। ଘଟଣାସ୍ଥଳରେ ରେଲୱେ ଓ ସ୍ଥାନୀୟ ପ୍ରଶାସନ ଯୋଗେ ତଦନ୍ତ ଜାରି ରହିଛି।
କ୍ଷତିପୂରଣ ଘୋଷଣା
ରେଲମନ୍ତ୍ରାଳୟ ପକ୍ଷରୁ ମୃତକଙ୍କ ପରିବାର ପାଇଁ ₹୧୦ ଲକ୍ଷ, ଗୁରୁତର ଆହତଙ୍କ ପାଇଁ ₹୫ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ₹୧ ଲକ୍ଷ କ୍ଷତିପୂରଣ ଘୋଷଣା କରାଯାଇଛି।





