ନୂଆଦିଲ୍ଲୀ: ଦେଶର ଅନେକ ସହରର ନାମ ପରିବର୍ତ୍ତନ ପରେ ଏବେ ରାଜଧାନୀ ଦିଲ୍ଲୀର ନାମ ନେଇ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ବିଜୟ ଗୋଏଲ ଦିଲ୍ଲୀର ଇଂରାଜୀ ନାମ Delhi କୁ Dilli କରିବାକୁ ଦାବି କରିଛନ୍ତି।

ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଚିଠି ଲେଖି, ନଭେମ୍ବର ୧ ରେ ନୂତନ ସରକାରୀ ଲୋଗୋ ସହିତ ଏହି ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ରଖିଛନ୍ତି।

ବିଜୟ ଗୋଏଲଙ୍କ କଥା ଅନୁଯାୟୀ, ୧୧ଶ ଶତାବ୍ଦୀରେ ଏହି ସହରକୁ ଧିଲି ବୋଲି କୁହାଯାଉଥିଲା, ପରେ ପାର୍ସୀ ଭାଷାରେ ଏହାକୁ ଦେହଲି କୁହାଯାଇଥିଲା ଏବଂ ବ୍ରିଟିଶ ଶାସନ ସମୟରେ Delhi ଭାବେ ପରିବର୍ତ୍ତିତ ହେଲା। ମହାଭାରତ ସମୟରେ ଏହାକୁ ଇନ୍ଦ୍ରପ୍ରସ୍ଥ ଭାବେ ଜଣାଯାଉଥିଲା। କିଛି ଲୋକ ଦିଲ୍ଲୀର ପୁରୁଣା ନାମ ଇନ୍ଦ୍ରପ୍ରସ୍ଥ ଫେରାଇବାକୁ ମଧ୍ୟ ଦାବି କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀର ମୂଳ ନାମ ସଂସ୍କୃତ ଶବ୍ଦ ଧିଲ୍ଲିକା ରୁ ଆସିଛି ଯାହା ଲୋକଗୀତ ଓ ପ୍ରାଚୀନ ସାହିତ୍ୟରେ ମଧ୍ୟ ଉଲ୍ଲେଖିତ ଅଛି। ବିଜୟ ଗୋଏଲ ପୂର୍ବରୁ ମଧ୍ୟ ଏହି ଦାବି ଉଠାଇଥିଲେ ଏବଂ ଏବେ ପୁନି ସେଥିପାଇଁ ନୂତନ ଚର୍ଚ୍ଚା ତୀବ୍ର ହୋଇଛି।