ନୂଆଦିଲ୍ଲୀ: ଖରାଦିନ ଆସିବା ପୂର୍ବରୁ ଦେଶରେ ଏୟାର କଣ୍ଡିସନର (ଏସି) ଦାମ ବୃଦ୍ଧି ପାଇବାକୁ ଯାଉଛି। ପ୍ରମୁଖ ଏସି ନିର୍ମାତା Blue Star Limited ଚଳିତ ତ୍ରୟମାସରେ ଏସି ମୂଲ୍ୟ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଯାଉଛି ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ B Thiagarajan ସୂଚନା ଦେଇଛନ୍ତି।

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ କଚ୍ଚା ସାମଗ୍ରୀର ଦର ବୃଦ୍ଧି, ଶକ୍ତି ଦକ୍ଷତା ଲେବେଲିଂରେ ପରିବର୍ତ୍ତନ ଏବଂ ଡଲାର ସମ୍ମୁଖୀନ ଟଙ୍କାର ଦୁର୍ବଳତା ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଛି। ନିକଟରେ ତମ୍ବା ସହ ଅନ୍ୟାନ୍ୟ ଧାତୁର ଦର ବୃଦ୍ଧି ପାଇଥିବାରୁ ମୂଲ୍ୟବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। କମ୍ପାନିର ଟିକସ ପୂର୍ବ ଲାଭ ୮ରୁ ୧୦ ପ୍ରତିଶତ ମଧ୍ୟରେ ରହୁଥିବାରୁ ଏହି ଅତିରିକ୍ତ ଖର୍ଚ୍ଚକୁ ବହନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ମୂଲ୍ୟବୃଦ୍ଧି ଚାପ ସତ୍ତ୍ୱେ ଏସି ପ୍ରତି ଚାହିଦା ମଜବୁତ ରହିଛି। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ବ୍ୟବସାୟୀମାନେ ବହୁ ପରିମାଣରେ ଷ୍ଟକ୍‌ ସଂଗ୍ରହ କରିବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ତୁଳନାରେ ଏବେ ରାତିର ତାପମାତ୍ରା ଅଧିକ ରହୁଥିବାରୁ ଆଗାମୀ ଖରାଦିନ ଅଧିକ ତୀବ୍ର ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ଏସି ବିକ୍ରି ଆହୁରି ବଢ଼ିପାରେ ବୋଲି କମ୍ପାନି ଆଶା ପ୍ରକାଶ କରିଛି।