ଲା ପେଜ୍: ବଲିଭିଆର ପ୍ରଶାସନିକ ରାଜଧାନୀ ଲା ପେଜ୍‌ ନିକଟସ୍ଥ ଏଲ୍ ଆଲ୍ଟୋ ଅଞ୍ଚଳରେ ଟଙ୍କା ବୋଝେଇ ଯାଉଥିବା ଏକ ସରକାରୀ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବଡ଼ ଦୁର୍ଘଟଣା ଘଟିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଘଟଣାରେ କମ୍‌ରେ କମ୍‌ ୧୫ ଜଣଙ୍କ ମୃତ୍ୟୁ ଘଟିଛି।

ଖରାପ ପାଗ ପରିସ୍ଥିତି ମଧ୍ୟରେ ବଲିଭିଆ ବାୟୁସେନାର ହର୍କୁଲିସ୍ କାର୍ଗୋ ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଭାରସାମ୍ୟ ହରାଇଥିବା କୁହାଯାଉଛି। ଦେଶର ଅନ୍ୟ ଅଞ୍ଚଳକୁ ନୂଆ ମୁଦ୍ରା ନୋଟ୍ ପହଞ୍ଚାଇବା ପାଇଁ ବିମାନଟି ଯାଉଥିଲା। ନିୟନ୍ତ୍ରଣ ହରାଇବା ପରେ ବିମାନଟି ଏକ ବ୍ୟସ୍ତବହୁଳ ରାଜପଥ ନିକଟରେ ଖସି ପଡ଼ିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନଟି ରନୱେ ଛାଡ଼ି ସହର ଦିଗକୁ ଘୁଞ୍ଚି ଆସିଥିଲା ଏବଂ ରାସ୍ତାରେ ଚାଲୁଥିବା ଓ ପାର୍କିଂ ଥିବା ଅନେକ ଯାନବାହନ ସହ ଧକ୍କା ହୋଇଥିଲା। ଏହି ଘଟଣାରେ ୧୫ରୁ ଅଧିକ ଗାଡ଼ି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ମୃତକମାନେ ବିମାନର ଯାତ୍ରୀ କିମ୍ବା ରାସ୍ତାରେ ଥିବା ଲୋକ — ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଦୁର୍ଘଟଣା ପରେ ବିମାନରେ ଭୟାବହ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏହା ଫଳରେ ସମଗ୍ର ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା ଏବଂ ଜରୁରୀ ସେବା ପ୍ରଭାବିତ ହୋଇଥିଲା।

ଦୁର୍ଘଟଣା ପରେ ବିମାନରେ ଥିବା ନୂଆ ନୋଟ୍‌ଗୁଡ଼ିକ ରାସ୍ତାରେ ଛିଟିଯାଇଥିବା ଦେଖାଯାଇଥିଲା। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଭିଡିଓରେ ଶତାଧିକ ଲୋକ ଘଟଣାସ୍ଥଳକୁ ଧାଇଁ ଆସି ପଡ଼ିଥିବା ଟଙ୍କା ଉଠାଇ ନେଉଥିବା ଦୃଶ୍ୟ ଦେଖାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଭିଡ଼ ଛିତରାଇବାକୁ ୱାଟର କ୍ୟାନନ୍‌ ବ୍ୟବହାର କରାଯାଇଥିଲା।

ଅଧିକାରୀମାନେ ଲୋକମାନଙ୍କୁ ଘଟଣାସ୍ଥଳରୁ ଦୂରେ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଘଟଣା ପରେ ଏଲ୍ ଆଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା।

ଏପଟେ ଜାତୀୟ ବିମାନ ସେବା ସଂସ୍ଥା ‘ବୋଲିଭିଆନା ଡି ଆଭିଏସିୟନ୍’ ସ୍ପଷ୍ଟ କରିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ସେମାନଙ୍କ ବାଣିଜ୍ୟିକ ବିମାନ ବହିନୀର ଅଂଶ ନୁହେଁ।

ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରାଯାଇଛି।