ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବୋମା ବିସ୍ଫୋରଣ ଧମକ ମିଳିବାରୁ ମଙ୍ଗଳବାର ସକାଳେ ଭାରି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ଗୁଜୁରାଟ ସହିତ ମୋଟ ୮ଟି ସ୍ଥାନକୁ ଟାର୍ଗେଟ କରି ବୋମା ଧମକ ଦିଆଯାଇଥିବା ସୂଚନା ମିଳିଛି। ଏହି ଧମକରେ କୋର୍ଟ ଓ ରେଳଷ୍ଟେସନ ମୁଖ୍ୟ ଲକ୍ଷ୍ୟ ଥିଲା।

ଗୁଜୁରାଟ ହାଇକୋର୍ଟ ସହ ଆନନ୍ଦ, ରାଜକୋଟ, ଅହମଦାବାଦ ଓ ଭରୁଚର ସେସନ୍ସ କୋର୍ଟଗୁଡ଼ିକୁ RDX ବୋମା ବିସ୍ଫୋରଣର ଧମକ ସହିତ ସମାନ ଧରଣର ଇ-ମେଲ୍ ମିଳିଥିଲା। ଧମକ ପରେ ସମସ୍ତ କୋର୍ଟ ପରିସରକୁ ଖାଲି କରାଯାଇ ବମ୍ ସ୍କ୍ୱାଡ୍ ଓ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ସୂକ୍ଷ୍ମ ତଦନ୍ତ କରାଯାଇଥିଲା। ତେବେ ତଦନ୍ତ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ପୁଲିସ କହିଛି।

ପୁଲିସ ଅନୁସାରେ, “ଲିବରେସନ୍ ଟାଇଗର୍ସ” ନାମରେ ଏହି ଧମକ ଆସିଥିବା ଉଲ୍ଲେଖ ରହିଛି। ଅନ୍ୟପଟେ, ଉତ୍ତରପ୍ରଦେଶର ମଉ ରେଳ ଜଙ୍କସନରେ କାଶୀ ଏକ୍ସପ୍ରେସକୁ ବୋମା ଧମକ ମିଳିବା ପରେ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ରେଳଷ୍ଟେସନ ପରିସରରେ ସ୍ନିଫର୍ ଡଗ୍ ସହ ତଲାଶୀ ଚଳାଇଥିଲେ ସୁରକ୍ଷା କର୍ମଚାରୀ।

ଯେଉଁ ସମସ୍ତ ସ୍ଥାନକୁ ଧମକ ମିଳିଥିଲା, ସେଗୁଡ଼ିକୁ ସତ୍ୱର ଖାଲି କରାଯାଇ ବୋମା ନିଷ୍କ୍ରିୟ ଟିମ୍‌କୁ ମୋତାୟେନ କରାଯାଇଥିଲା। ସବୁଠି ତଦନ୍ତ ପରେ କୌଣସି ବୋମା ବା ବିସ୍ଫୋରକ ମିଳିନଥିବା ସ୍ପଷ୍ଟ ହୋଇଛି।

ଏହି ମଧ୍ୟରେ, କେରଳର ଏକ ସ୍କୁଲ ନିକଟରୁ ୧୦ଟି ଜୀବନ୍ତ ବୋମା ଜବତ ହେବା ଘଟଣା ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା ବଢ଼ାଇଛି। ସମଗ୍ର ଘଟଣାକୁ ନେଇ ଧମକ କେଉଁଠୁ ଓ କିଏ ଦେଇଥିଲା, ସେନେଇ ପୁଲିସ ଓ ଗୁପ୍ତଚର ବିଭାଗ ତଦନ୍ତ ଜାରି ରଖିଛନ୍ତି।