ଭୁବନେଶ୍ୱର, ୫ ସେପ୍ଟେମ୍ବର: ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ନେଟୱାର୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ବିଏସ୍‌ଏନ୍‌ଏଲ୍‌ର ସ୍ଥିତିକୁ ମଜବୁତ କରିବା ଓ ସରକାରୀ କ୍ଷେତ୍ରରେ ଏହାର ବ୍ୟବହାର ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମସ୍ତ ବିଭାଗକୁ ଚିଠି ପଠାଇଛି। ଏହା ଅନୁସାରେ ସରକାରୀ କାର୍ଯ୍ୟାଳୟରେ ବିଏସ୍‌ଏନ୍‌ଏଲ୍‌ର ଇଣ୍ଟରନେଟ, ବ୍ରଡ୍‌ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ୍‌ ଲାଇନ ସେବା ବ୍ୟବହାର ନିଶ୍ଚିତ କରିବାକୁ କୁହାଯାଇଛି।

ସମବାୟ ବିଭାଗ ଏନେଇ ଅଲଗା ନିର୍ଦ୍ଦେଶାବଳୀ ଜାରି କରି ଡିଆରସିଏସ୍‌ ଓ ଏଆରସିଏସ୍‌ମାନଙ୍କୁ ଚିଠି ପଠାଇଛନ୍ତି। ସେଥିରେ କୁହାଯାଇଛି, ଯେଉଁଠାରେ ବିଏସ୍‌ଏନ୍‌ଏଲ୍‌ ସେବା ବୈଷୟିକ ଭାବେ ସମ୍ଭବ, ସେଠାରେ ତୁରନ୍ତ ବିଏସ୍‌ଏନ୍‌ଏଲ୍‌ରେ ସେବା ହସ୍ତାନ୍ତର କରାଯିବ। ଚାଲୁଥିବା ସେବାକୁ ବାଧା ନଦେଇ, ୩୦ ସେପ୍ଟେମ୍ବର ପୂର୍ବରୁ ସମୀକ୍ଷା ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି।