ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୬ରେ କୃଷି, ପଶୁପାଳନ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଅନେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ ସମୟରେ ଚାଷୀ, ପଶୁଚିକିତ୍ସା ବୃତ୍ତିଜୀବୀ ଓ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଇଁ ବିଶେଷ ସହାୟତା ଯୋଜନାର କଥା କହିଛନ୍ତି। ବିଶେଷତଃ ମହିଳା ନେତୃତ୍ୱାଧୀନ ଗ୍ରାମୀଣ ଉଦ୍ୟମକୁ ବଜେଟ୍ରେ ଅଧିକ ଗୁରୁତ୍ୱ ଦିଆଯାଇଛି।
ମତ୍ସ୍ୟଚାଷ କ୍ଷେତ୍ରର ବିକାଶ ପାଇଁ ୫୦୦ଟି ‘ଅମୃତ ସରୋବର’ର ସମନ୍ୱିତ ଉନ୍ନତି ପ୍ରସ୍ତାବ ରହିଛି। ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ସୃଷ୍ଟି ଓ ଆୟ ବୃଦ୍ଧି ପାଇଁ ପଶୁପାଳନ ଆଧାରିତ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାକୁ ସରକାର ଯୋଜନା କରିଛି।
ନଡ଼ିଆ ଚାଷକୁ ଗତି ଦେବା ପାଇଁ କେରଳ ଓ ତାମିଲନାଡୁ ପରି ରାଜ୍ୟଗୁଡ଼ିକୁ କେନ୍ଦ୍ର କରି ଏକ ବିଶେଷ ନଡ଼ିଆ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହାର ଲକ୍ଷ୍ୟ ହେଉଛି ଉତ୍ପାଦନ ଓ ଉତ୍ପାଦକତା ବଢ଼ାଇବା। ଆନୁମାନିକ ଭାବେ ପ୍ରାୟ ୩ କୋଟି ଲୋକ ଏହି ଯୋଜନାରୁ ଲାଭାନ୍ୱିତ ହେବେ ଓ ପ୍ରାୟ ୧ କୋଟି ନଡ଼ିଆ ଚାଷୀ ସିଧାସଳଖ ଉପକୃତ ହେବାର ସମ୍ଭାବନା ରହିଛି।
ସେହିପରି ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ଆନ୍ତର୍ଜାତୀୟ ବଜାରରେ ପ୍ରିମିୟମ୍ ବ୍ରାଣ୍ଡ ଭାବେ ସ୍ଥାପିତ କରିବା ଲକ୍ଷ୍ୟ ନିଆଯାଇଛି। ଚନ୍ଦନ କାଠ ଶିଳ୍ପର ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟରେ କାମ କରାଯିବ ବୋଲି ବଜେଟ୍ରେ ଉଲ୍ଲେଖ ଅଛି।
କୃଷିରେ ପ୍ରଯୁକ୍ତି ଅନୁପ୍ରବେଶ ବଢ଼ାଇବା ପାଇଁ ସରକାର ଏକ ବହୁଭାଷୀ ଏଆଇ ଆଧାରିତ ପ୍ଲାଟଫର୍ମ “ଭାରତ ବିସ୍ତାର” ଆରମ୍ଭ କରିବେ। ଏହା ମାଧ୍ୟମରେ ଚାଷୀମାନେ ଚାଷ ପ୍ରଣାଳୀ, ଉତ୍ପାଦନ ବୃଦ୍ଧି ଓ ଯଥୋଚିତ ନିଷ୍ପତ୍ତି ନେବାରେ ପରାମର୍ଶ ପାଇପାରିବେ।
ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମହିଳା ନେତୃତ୍ୱାଧୀନ ଉଦ୍ୟମମାନଙ୍କ ପାଇଁ “ଏସ୍ଏଚ୍ଇ ମାର୍ଟ” ସ୍ଥାପନ ପ୍ରସ୍ତାବ ରହିଛି। ଏହା ‘ଲକ୍ଷପତି ଦିଦି’ କାର୍ଯ୍ୟକ୍ରମର ସଫଳତା ଉପରେ ଆଧାରିତ ହୋଇ ମହିଳାମାନଙ୍କୁ ଋଣ ଓ ବ୍ୟବସାୟ ସୁଯୋଗ ଯୋଗାଇବ।





