ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିବେ। ବଜେଟ୍‌ ପୂର୍ବରୁ ପ୍ରସ୍ତୁତ ହେଉଥିବା ଏହି ରିପୋର୍ଟରେ ଦେଶର ସାର୍ବିକ ଅର୍ଥନୈତିକ ସ୍ଥିତି, ଆର୍ଥିକ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ ସହ ବିଭିନ୍ନ ମୁଖ୍ୟ କ୍ଷେତ୍ରର ପ୍ରଦର୍ଶନ ସମ୍ପର୍କିତ ତଥ୍ୟ ସମ୍ମିଳିତ ରହିବ।

ଏହି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସଂସଦର ଉଭୟ ସଦନରେ ରିପୋର୍ଟ ଉପସ୍ଥାପନ ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ ଏକ ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟର ମୁଖ୍ୟ ତଥ୍ୟ ଉପସ୍ଥାପନ କରିବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ କେନ୍ଦ୍ର ବଜେଟ୍‌ ପୂର୍ବରୁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଏ। ଚଳିତ ବର୍ଷ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍‌ ଉପସ୍ଥାପନ ହେବ। ଫେବ୍ରୁଆରି ୧ ତାରିଖ ରବିବାର ପଡ଼ୁଥିବାରୁ ସେହି ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ ସଂସଦରେ ପେଶ କରିବେ।