ଓଟାୱା: କାନାଡା ସରକାର ‘ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ’କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ସରକାରୀ ବିବୃତ୍ତିରେ କୁହାଯାଇଛି, ଏହି ଗ୍ୟାଙ୍ଗର ମୁଖ୍ୟ ଜେଲ ଭିତରୁ ମୋବାଇଲ୍ ଫୋନ୍ ବ୍ୟବହାର କରି ଅପରାଧିକ କାର୍ଯ୍ୟକଳାପ ଚାଲାଉଛନ୍ତି। ଏହି ଘୋଷଣା ପରେ, କାନାଡା ସରକାର ଗ୍ୟାଙ୍ଗର ସମ୍ପତ୍ତି ଜବତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିପାରିବ।
ଗତ ବର୍ଷ, କାନାଡା ପୁଲିସ ଦାବି କରିଥିଲା ଯେ ଭାରତ, କାନାଡା ଭିତରେ ଥିବା ଖଲିସ୍ତାନ ସମର୍ଥକଙ୍କୁ ଲକ୍ଷ୍ୟ କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗକୁ ବ୍ୟବହାର କରିଥିଲା। କିନ୍ତୁ ଭାରତ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲା ଏବଂ କହିଥିଲା ଯେ ସେମାନେ ଏହି ଗ୍ୟାଙ୍ଗକୁ ଦମନ କରିବା ପାଇଁ କାନାଡା ସହିତ ମିଶି କାମ କରୁଛନ୍ତି।
ଭାରତରେ ମାତ୍ର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭୦୦ରୁ ଅଧିକ ସଦସ୍ୟ ସକ୍ରିୟ ଅଛନ୍ତି, ଯେମାନେ ଡକାୟତି, ଦାଦାବଟି, ମନି ଲଣ୍ଡରିଂ ଭଳି ବିଭିନ୍ନ ଅବୈଧ କାର୍ଯ୍ୟରେ ଜଡିତ। ତଥାପି, ବିଶେଷଜ୍ଞମାନେ କହୁଛନ୍ତି କାନାଡାରେ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ସଂଗ୍ରହ କ୍ଷମତା ସୀମିତ ଥିବାରୁ ସେମାନଙ୍କୁ ପୁରାପୁରି ନିୟନ୍ତ୍ରଣ କରିବା କଠିନ ହେବ।
କାନାଡାର ମନ୍ତ୍ରୀ ଗ୍ୟାରି ଆନନ୍ଦସଙ୍ଗରୀ କହିଛନ୍ତି, “କାନାଡାରେ ଆତଙ୍କବାଦ ଏବଂ ହିଂସାର କୌଣସି ସ୍ଥାନ ନାହିଁ। ପ୍ରତ୍ୟେକଙ୍କର ସମାଜରେ ସୁରକ୍ଷିତ ରହିବାର ଅଧିକାର ଅଛି।”