ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ସମ୍ପର୍କରେ ଆଧିକାରିକ ବିଜ୍ଞପ୍ତି ଜାରି କରିଛି। ଏହା ସହିତ ଜନଗଣନା ପ୍ରକ୍ରିୟାର ନିୟମ, ସମୟସୀମା ଏବଂ ଡିଜିଟାଲ୍ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ପରିବାର ତାଲିକାଭୁକ୍ତ କରିବା ଏବଂ ଘର ଘର ଗଣନା ପ୍ରକ୍ରିୟା ଚଳିତ ବର୍ଷ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ୩୦ ଦିନ ସମୟ ଦିଆଯିବ।

ଏଥର ଜନଗଣନାର ସବୁଠାରୁ ବଡ଼ ବିଶେଷତା ହେଉଛି ଆତ୍ମଗଣନା (Self Enumeration) ବ୍ୟବସ୍ଥା। ସାଧାରଣ ଲୋକେ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ନିଜେ ନିଜ ସୂଚନା ଏଣ୍ଟ୍ରି କରିପାରିବେ। ଏହି ସୁବିଧା ଘର ଘର ସର୍ଭେ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଉପଲବ୍ଧ ହେବ। ସରକାର ପୂର୍ବରୁ ଜାରି ହୋଇଥିବା ୨୦୨୦ ଆଦେଶକୁ ରଦ୍ଦ କରି ନୂତନ ନିୟମ ଅନୁଯାୟୀ ଏହି ପ୍ରକ୍ରିୟାକୁ ସବୁଜ ସଙ୍କେତ ଦେଇଛନ୍ତି।

କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା ସ୍ଥଗିତ ରହିଥିଲା। ଏବେ ଏହାକୁ ପୁନର୍ବାର ଆରମ୍ଭ କରାଯାଉଛି। ଜନଗଣନା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ। ପ୍ରଥମ ପର୍ଯ୍ୟାୟରେ ପରିବାର ତାଲିକା ପ୍ରସ୍ତୁତ କରାଯିବ, ଯେଉଁଥିରେ ଘର ଓ ସୁବିଧା ସମ୍ପର୍କିତ ସୂଚନା ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା କରାଯିବ, ଯାହା ୧ ଏପ୍ରିଲ ୨୦୨୬ ରୁ ଆରମ୍ଭ ହୋଇ ୨୮ ଫେବ୍ରୁଆରି ୨୦୨୭ ପର୍ଯ୍ୟନ୍ତ ଚାଲିବ।

ସମଗ୍ର ଦେଶ ପାଇଁ ଚୂଡ଼ାନ୍ତ ଜନସଂଖ୍ୟା ତଥ୍ୟ ନିର୍ଦ୍ଧାରଣ ପାଇଁ ରେଫରେନ୍ସ ସମୟ ୧ ମାର୍ଚ୍ଚ ୨୦୨୭ ମଧ୍ୟରାତ୍ରି ଧାର୍ଯ୍ୟ କରାଯାଇଛି। ତେବେ ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପରି ତୁଷାରପାତ ପ୍ରବଣ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ସମୟସୀମା ସାମାନ୍ୟ ଭିନ୍ନ ହୋଇପାରେ।

ଗତ ଡିସେମ୍ବର ମାସରେ କେନ୍ଦ୍ର ସରକାର ଏହି ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାରୁ ଅଧିକ ବଜେଟ୍ ଅନୁମୋଦନ କରିଥିଲେ। ଏଥର ଜନସଂଖ୍ୟା ଗଣନା ସହିତ ଜାତି ସୂଚନା ମଧ୍ୟ ସଂଗ୍ରହ କରାଯିବ। ପ୍ରାୟ ୩ ନିୟୁତ କର୍ମଚାରୀ ଏହି ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ କାର୍ଯ୍ୟରେ ନିଯୁକ୍ତ ହେବେ। ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା ହେବ, ଯେଉଁଠାରେ କାଗଜ-କଲମ ପଦ୍ଧତି ପରିବର୍ତ୍ତେ ମୋବାଇଲ୍ ଆପ୍ ବ୍ୟବହାର କରାଯିବ।

ତଥ୍ୟର ସଠିକତା ଓ ନିରୀକ୍ଷଣ ପାଇଁ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ବିକଶିତ କରିଛନ୍ତି। ‘ସେନ୍ସସ୍ ଏଜ୍ ଏ ସର୍ଭିସ୍’ (CaaS) ମାଧ୍ୟମରେ ସମସ୍ତ ସରକାରୀ ମନ୍ତ୍ରଣାଳୟକୁ ସଂଗଠିତ ଏବଂ ଭରସାଯୋଗ୍ୟ ତଥ୍ୟ ଉପଲବ୍ଧ କରାଯିବ। ସେଥିପାଇଁ CMMS ଆଧାରିତ ପୋର୍ଟାଲ ଦ୍ୱାରା ରିୟଲ୍ ଟାଇମ୍‌ରେ ଜନଗଣନାର ପ୍ରଗତି ନଜର ରଖାଯିବ।

ଜନଗଣନା ଦଳ ଘର ଘର ବୁଲି ଦୁଇଟି ଭିନ୍ନ ସେଟ୍‌ର ପ୍ରଶ୍ନ ମାଧ୍ୟମରେ ସୂଚନା ସଂଗ୍ରହ କରିବେ। ଏହି କାର୍ଯ୍ୟରେ ସରକାରୀ ସ୍କୁଲ ଶିକ୍ଷକମାନେ ନିଯୁକ୍ତ ହେବେ। ଡିଜିଟାଲ୍ ପ୍ରକ୍ରିୟା ଥିବାରୁ ତଥ୍ୟ ସୁରକ୍ଷା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।