ମାଲକାନଗିରି/ବିଜାପୁର: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ଦୁର୍ଦାନ୍ତ ମାଓ ନେତା ବାରସେ ଦେବା ନିଜ ୨୬ ଜଣ ସାଥୀଙ୍କ ସହ ଆତ୍ମସମର୍ପଣ କରିବା ପରେ ନକ୍ସଲ ସଫା ଅଭିଯାନ ଆହୁରି ଜୋରଦାର ହୋଇଛି। ଏହା ପରେ ସୁରକ୍ଷାବଳଙ୍କ ପ୍ରମୁଖ ଟାର୍ଗେଟରେ ରହିଛନ୍ତି ମାଓ ନେତା ପାପା ରାଓ ଓରଫ ସୁନାମ ଚଦରାୟା ଓରଫ ମଙ୍ଗୁ। ଜଙ୍ଗଲ ଅଞ୍ଚଳରେ ‘ପାପା ରାଓ’ ନାମରେ ସେ ବେଶ ପରିଚିତ। ବର୍ତ୍ତମାନ ତାଙ୍କ ବୟସ ପ୍ରାୟ ୫୮ ବର୍ଷ ଓ ସରକାର ତାଙ୍କ ଗିରଫ କିମ୍ବା ସୂଚନା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ୨୦୨୧ ପର୍ଯ୍ୟନ୍ତ ପାପା ରାଓ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲେ। ବର୍ତ୍ତମାନ ସେ ପଶ୍ଚିମ ବସ୍ତର ଡିଭିଜନର ଡିଭିଜନାଲ ସଚିବ ଭାବେ କାର୍ଯ୍ୟଭାର ନେଇଛନ୍ତି। ପଛଲା ପ୍ରାୟ ଚାରି ଦଶନ୍ଧି ଧରି ସେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସକ୍ରିୟ ରହିଆସୁଛନ୍ତି।

ଡିଆରଜି (District Reserve Guard) ଯବାନଙ୍କ ପାଇଁ ପାପା ରାଓ ବର୍ତ୍ତମାନ ସର୍ବାଧିକ ଚ୍ୟାଲେଞ୍ଜ ହୋଇଉଠିଛନ୍ତି। ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା ତାଙ୍କୁ ମୃତ କିମ୍ବା ଜୀବିତ ଧରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଅଧିକ ତୀବ୍ର କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ତଥ୍ୟ ଅନୁସାରେ, ବିଜାପୁର ଜିଲ୍ଲାର ଘନ ଜଙ୍ଗଲରେ ଏଯାଁ ମଧ୍ୟ ପ୍ରାୟ ୧୦୦ ଜଣ ସଶସ୍ତ୍ର ନକ୍ସଲ ସକ୍ରିୟ ଅଛନ୍ତି।

ଆତ୍ମସମର୍ପଣ ପାଇଁ ପୁଲିସର ଆହ୍ୱାନ:

ଛତିଶଗଡ଼ ପୁଲିସ କହିଛି ଯେ ପାପା ରାଓଙ୍କୁ ଆତ୍ମସମର୍ପଣ କରିବା ପାଇଁ ସମସ୍ତ ସୁବିଧା ଓ ସୁଯୋଗ ଦିଆଯାଇଛି। କିନ୍ତୁ ସେ ପୁଲିସକୁ ଚକମା ଦେଇ ଲୁଚି ରହୁଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ତାଙ୍କୁ ଟାର୍ଗେଟ କରି ଅଭିଯାନକୁ ଆହୁରି କଠୋର କରିବା ନିଷ୍ପତ୍ତି ନିଆଯାଇଛି।

ପୁଲିସ ଅନୁଯାୟୀ, ପାପା ରାଓ ଘନ ଜଙ୍ଗଲରେ ଲ୍ୟାଣ୍ଡମାଇନ ପତ୍ୟାରୋପଣ, ବିସ୍ଫୋରଣ ଓ ଗୁଳିବିନିମୟ ମାଧ୍ୟମରେ ସୁରକ୍ଷାବଳଙ୍କୁ କ୍ଷତିଗ୍ରସ୍ତ କରିବାରେ ପାରଙ୍ଗତ। ତେବେ ଲକ୍ଷ୍ୟ ହାସଲ ପାଇଁ ଆଉ କେବଳ ୧୫ ଦିନ ବାକି ରହିଛି।

ପ୍ରକାଶ ଥାଉକି, ଗତ ବର୍ଷ ମୋଟ ୯୯ଟି ଗୁଳିବିନିମୟ ଘଟଣାରେ ୨୫୬ ଜଣ ନକ୍ସଲ ନିହତ ହୋଇଥିଲେ। ଏହା ସହ ୮୮୪ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ଏକଟି ବି ପୁଲିସ ହତିଆର ଲୁଟ୍ ହୋଇନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ବର୍ତ୍ତମାନ ପ୍ରଶ୍ନ—ନିର୍ଦ୍ଧାରିତ ସମୟ ସୀମା ଭିତରେ ପାପା ରାଓକୁ ଧରିବାରେ ସୁରକ୍ଷାବଳ ସଫଳ ହେବେ କି ନାହିଁ?