ନୂଆଦିଲ୍ଲୀ:

ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ଭାରତ ଗଠନର ଲକ୍ଷ୍ୟକୁ ନେଇ କେନ୍ଦ୍ର ସରକାର ବାମପନ୍ଥୀ ଉଗ୍ରବାଦ ବିରୋଧରେ ଏକ ନିର୍ଣ୍ଣାୟକ ଓ ସମନ୍ୱିତ ରଣନୀତି ଅନୁସରଣ କରୁଛନ୍ତି। ସୁରକ୍ଷାବାହିନୀଙ୍କ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ, ଗୁପ୍ତସୂଚନା ଆଧାରିତ ଅଭିଯାନ ଏବଂ ବିକାଶମୂଳକ ପଦକ୍ଷେପର ଫଳସ୍ୱରୂପ ଦେଶରେ ନକ୍ସଲ ପ୍ରଭାବ ଲକ୍ଷଣୀୟ ଭାବେ କମିଛି।

ସରକାରୀ ତଥ୍ୟ ଅନୁଯାୟୀ, ୨୦୧୪ ମସିହାରେ ୧୨୬ଟି ଥିବା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୨୫ରେ ହ୍ରାସ ପାଇ ୧୧ଟିରେ ସୀମିତ ହୋଇଛି। ସେହିପରି ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ୩୬ରୁ କମି ୩ଟିକୁ ଆସିଛି। ପୂର୍ବରୁ ଓଡ଼ିଶା ସମେତ ଛତିଶଗଡ଼, ଝାରଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ‘ଲାଲ୍ କରିଡର’ ଭାବେ ପରିଚିତ ଥିଲେ; ବର୍ତ୍ତମାନ ସେହି ପ୍ରଭାବ ଅତ୍ୟନ୍ତ ସୀମିତ ହୋଇଯାଇଛି।

ମାଓବାଦୀ ହିଂସା ଘଟଣା ୨୦୦୪-୧୪ ଅବଧିରେ ୧୬,୪୬୩ ଥିବାବେଳେ, ୨୦୧୪-୨୦୨୪ ମଧ୍ୟରେ ୫୩ ପ୍ରତିଶତ କମି ୭,୭୪୪କୁ ହ୍ରାସ ପାଇଛି। ଏହି ସମୟରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ୭୩ ପ୍ରତିଶତ କମି ୧,୮୫୧ରୁ ୫୦୯ରେ ଆସିଥିବା ବେଳେ, ନାଗରିକ ମୃତ୍ୟୁ ସଂଖ୍ୟା ୭୦ ପ୍ରତିଶତ ହ୍ରାସ ପାଇ ୪,୭୬୬ରୁ ୧,୪୯୫କୁ କମିଛି।

୨୦୨୫ ମସିହାରେ ୩୧୭ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୮୬୨ ଜଣ ଗିରଫ ଏବଂ ୧,୯୭୩ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୪ରେ ୨୯୦ ଜଣ ନିହତ, ୧,୦୯୦ ଜଣ ଗିରଫ ଓ ୮୮୧ ଜଣ ଆତ୍ମସମର୍ପଣ କରିଥିଲେ। ଗତ ଦୁଇ ବର୍ଷରେ ୬ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ସହ ୨୮ ଜଣ ଶୀର୍ଷ ମାଓ ନେତା ନିହତ ହୋଇଛନ୍ତି। ‘ଅପରେସନ ବ୍ଲାକ ଫରେଷ୍ଟ’ ଅଧୀନରେ ୨୩ ମେ ୨୦୨୫ରେ ୨୭ ଜଣ ହାର୍ଡକୋର ନକ୍ସଲ ନିହତ ହୋଇଥିଲେ। ଗତ ଅକ୍ଟୋବରରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୭୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଥିଲେ।

ସୁରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ କରିବାକୁ ଗତ ୧୦ ବର୍ଷରେ ୫୮୬ଟି ସୁରକ୍ଷିତ ପୁଲିସ ଷ୍ଟେସନ ନିର୍ମାଣ ହୋଇଛି। ୨୦୧୩ରେ ୭୬ ଜିଲ୍ଲାର ୩୩୦ ଥାନା ନକ୍ସଲ ପ୍ରଭାବିତ ଥିବାବେଳେ, ବର୍ତ୍ତମାନ ଏହା ୨୨ ଜିଲ୍ଲାର ୫୨ ଥାନାକୁ ସୀମିତ। ଗତ ୬ ବର୍ଷରେ ୩୬୧ଟି ନୂଆ ସୁରକ୍ଷା ଶିବିର ଓ ୬୮ଟି ହେଲିପ୍ୟାଡ୍‌ ମଧ୍ୟ ନିର୍ମାଣ କରାଯାଇଛି।

ନକ୍ସଲ ଆର୍ଥିକ ଜାଲକୁ ଭାଙ୍ଗିବା ପାଇଁ ଏନଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ରାଜ୍ୟ ସୁରକ୍ଷା ବାହିନୀ ମିଶି ୯୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି। ଗତ ୧୧ ବର୍ଷରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକୁ ସୁରକ୍ଷା ସଂକ୍ରାନ୍ତ ବ୍ୟୟ ପାଇଁ ୩,୩୩୧ କୋଟି ଟଙ୍କା ଦିଆଯାଇଛି, ଯାହା ପୂର୍ବ ଦଶକ ତୁଳନାରେ ୧୫୫ ପ୍ରତିଶତ ଅଧିକ।

ବିକାଶମୂଳକ କାର୍ଯ୍ୟରେ, ମାଓ ପ୍ରଭାବିତ ଅଞ୍ଚଳରେ ୨୦,୮୧୫ କୋଟି ଟଙ୍କା ବ୍ୟୟରେ ୧୨,୦୦୦ କିମି ସଡ଼କ ନିର୍ମାଣ ହୋଇଥିବା ବେଳେ ୧୭,୫୮୯ କିମି ରାସ୍ତାକୁ ମଞ୍ଜୁରି ମିଳିଛି। ମୋବାଇଲ ସଂଯୋଗ ପାଇଁ ୪,୦୮୦ କୋଟି ଟଙ୍କାରେ ୨,୩୪୩ ଟାୱାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୨,୨୧୦ କୋଟି ଟଙ୍କାରେ ୨,୫୪୨ ଟାୱାର ନିର୍ମାଣ ହୋଇଛି। ଏହାସହ ୮,୫୨୭ଟି ୪ଜି ଟାୱାରକୁ ମଞ୍ଜୁରି ମିଳିଥିବା ବେଳେ ହଜାର ହଜାର ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି।

ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧,୮୦୪ ବ୍ୟାଙ୍କ ଶାଖା, ୧,୩୨୧ ଏଟିଏମ, ୩୭,୮୫୦ ବ୍ୟାଙ୍କ ପ୍ରତିନିଧି ଓ ୫,୮୯୯ ଡାକଘର ସ୍ଥାପିତ ହୋଇଛି। ଦକ୍ଷତା ବିକାଶ ପାଇଁ ୪୮ଟି ଆଇଟିଆଇ ଓ ୪୯ଟି ସ୍କିଲ୍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି।

ଆତ୍ମସମର୍ପଣକୁ ପ୍ରୋତ୍ସାହନ:

ଆତ୍ମସମର୍ପଣ କରୁଥିବା ଶୀର୍ଷ ନକ୍ସଲଙ୍କୁ ୫ ଲକ୍ଷ ଟଙ୍କା, ମଧ୍ୟମ ଓ ନିମ୍ନ କ୍ୟାଡର ନକ୍ସଲଙ୍କୁ ୨.୫ ଲକ୍ଷ ଟଙ୍କା ସହ ୩୬ ମାସ ପାଇଁ ପ୍ରତିମାସ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯାଉଛି। ଏହାର ଫଳରେ ବହୁ ସଂଖ୍ୟାରେ ନକ୍ସଲ ସମାଜର ମୁଖ୍ୟଧାରାକୁ ଫେରୁଛନ୍ତି।