ନୂଆଦିଲ୍ଲୀ, ୧୬।୧୨:
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗୁରୁତର ହେବା ପରେ ରାଜ୍ୟ ସରକାର ଅଧିକ କଡ଼ା ପଦକ୍ଷେପ ନେଇଛନ୍ତି। ରୁଟି ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ କୋଇଲା ଓ କାଠ ଜଳା ତନ୍ଦୁର ଉପରେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (DPCC) ପକ୍ଷରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି କରାଯାଇଛି।
ନୂଆ ନିର୍ଦ୍ଦେଶ ଅନୁଯାୟୀ, ରାଜଧାନୀର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଖାଦ୍ୟ ଦୋକାନଗୁଡ଼ିକୁ ତୁରନ୍ତ ଇଲେକ୍ଟ୍ରିକ୍, ଗ୍ୟାସ୍-ଆଧାରିତ କିମ୍ବା ଅନ୍ୟ ପରିଷ୍କାର ଇନ୍ଧନ ଉପକରଣକୁ ଅପନାଇବାକୁ କୁହାଯାଇଛି। ଏହା ଅନୁସରଣ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀର ଆନନ୍ଦ ବିହାର ଓ ଆଇଟିଓ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରାୟ ୪୦୦ ରେ ପହଞ୍ଚିଥିଲା, ଯାହା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ପଡ଼େ।
ପ୍ରଦୂଷଣ ଭୟାବହ ହେବାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP) ର ଚତୁର୍ଥ ଶ୍ରେଣୀ (GRAP-IV) ଲାଗୁ କରାଯାଇଛି। ଏହି ପର୍ଯ୍ୟାୟରେ କୋଇଲା, କାଠ କିମ୍ବା ଅନ୍ୟ କୌଣସି ଜୈବ ପଦାର୍ଥ ଓ ଆବର୍ଜନାକୁ ଖୋଲାରେ ଜଳାଇବା ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ରହିଛି।
DPCC ପକ୍ଷରୁ ‘ବାୟୁ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଅଧିନିୟମ, ୧୯୮୧’ ର ଧାରା ୩୧(A) ଅନୁଯାୟୀ ଏହି ଆଦେଶ ଜାରି କରାଯାଇଛି। ମ୍ୟୁନିସିପାଲିଟି ଅଧିକାରୀମାନଙ୍କୁ ସହର ସାରା ଯାଞ୍ଚ କରି ସମସ୍ତ ଖାଦ୍ୟ ପ୍ରତିଷ୍ଠାନରେ କୋଇଲା ଓ କାଠ ବ୍ୟବହାର ପୂର୍ଣ୍ଣ ଭାବେ ବନ୍ଦ ହେଉଥିବାକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।





