ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତ ୧୦ ନଭେମ୍ବରରେ ଘଟିଥିବା ଭୟାବହ କାର ବିସ୍ଫୋରଣକୁ କେନ୍ଦ୍ର ସରକାର ଏକ “ଜଘନ୍ୟ ଆତଙ୍କବାଦୀ ଆକ୍ରମଣ” ବୋଲି ଅଭିହିତ କରିଛି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ଘଟଣା ଉପରେ ଗଭୀର ଆଲୋଚନା ହେଇଥିଲା।
କେନ୍ଦ୍ର କହିଛି ଯେ ଏହା ସାଧାରଣ ହମଲା ନୁହେଁ, ଏକ ଯୋଜିତ ଓ ଜଘନ୍ୟ ଆତଙ୍କୀ ଆକ୍ରମଣ ଯାହା ଦେଶର ସାନ୍ତି ଓ ସୁରକ୍ଷା ଉପରେ ସିଧାସଳଖ ଆଘାତ ଆଣିଛି। ଏହା ହେଉଛି କାପୁରୁଷତାର ପରିଚୟ — ଏପରି କାର୍ଯ୍ୟକଳାପକୁ କେବେ ମାନ୍ୟ କରାଯିବନି ବୋଲି କେନ୍ଦ୍ର ତୀବ୍ର ଭାବେ ନିନ୍ଦା କରିଛି।
ତ୍ବରିତ ତଦନ୍ତ ଓ କଡ଼ା କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ
କ୍ୟାବିନେଟ୍ ଦୋଷୀ ଓ ସହଯୋଗୀମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ର କହିଛି, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ଏବଂ ଦୋଷୀଙ୍କୁ କଡ଼ା ଶାସ୍ତି ଦିଆଯିବ।
ପୀଡ଼ିତମାନଙ୍କ ପାଇଁ ନୀରବ ପ୍ରାର୍ଥନା
ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ କ୍ୟାବିନେଟ୍ ସଦସ୍ୟମାନେ ବିସ୍ଫୋରଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ନାଗରିକମାନଙ୍କ ସ୍ମୃତିରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ସରକାର ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି।
ସହାୟତା ଓ ପ୍ରଶଂସା
ଘଟଣା ପରେ ଯେଉଁ ଡାକ୍ତରୀ କର୍ମଚାରୀ ଓ ଜରୁରୀକାଳୀନ ସେବାଦାତାମାନେ ତୁରନ୍ତ ପ୍ରତିକ୍ରିୟା କରିଥିଲେ, ସେମାନଙ୍କୁ କେନ୍ଦ୍ର ଧନ୍ୟବାଦ ଜଣାଇଛି। ସେହି ସହିତ, ବିସ୍ଫୋରଣ ତଦନ୍ତ ନେଇ NIA, Delhi Police ଓ IBଙ୍କ ଯୁକ୍ତ ଚେଷ୍ଟାକୁ ମଧ୍ୟ ପ୍ରଶଂସା କରାଯାଇଛି।





