ନୂଆଦିଲ୍ଲୀ: ଚାରିଆଡ଼େ ଧୂଆଁଧୂଆଁ ଓ ଘନ କୁହୁଡ଼ି—ଉତ୍କଟ ବାୟୁ ପ୍ରଦୂଷଣ ସହ କୁହୁଡ଼ିର ଯୁଗଳ ପ୍ରଭାବରେ ଦେଶର ରାଜଧାନୀ ଦିଲ୍ଲୀ ଗୁରୁତର ସ୍ଥିତିରେ ପହଞ୍ଚିଛି। ଦୃଶ୍ୟମାନତା ଅତ୍ୟନ୍ତ କମିଯାଇଥିବାରୁ ରାସ୍ତାଘାଟରେ ଚଳାଚଳ କଷ୍ଟକର ହୋଇପଡ଼ିଛି। ଗାଡ଼ି ଚଳାଚଳ, ନିର୍ମାଣ କାମ ଉପରେ କଟକଣା ସହ ବ୍ୟାପକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସ୍ଥିତିରେ ଆଶାଜନକ ସୁଧାର ଦେଖାଯାଉନି।

ବେହାଲ ରାଜଧାନୀ, ‘ଅତି ଖରାପ’ ବାୟୁ ଗୁଣବତ୍ତା

ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ଗୁରୁତର ଭାବେ ହ୍ରାସ ପାଇଛି। ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୧୪ ରେକର୍ଡ ହୋଇଥିଲା, ଯାହା ‘ଅତି ଖରାପ’ ଶ୍ରେଣୀରେ ପଡ଼େ। ଆନନ୍ଦ ବିହାର (୪୬୬), ମୁନ୍ଦକା (୪୫୧), ଅଶୋକ ବିହାର (୪୪୪) ଏବଂ ଆଇଟିଓ (୪୩୬) ପରି ଅଞ୍ଚଳରେ ଏକ୍ୟୁଆଇ ଅତ୍ୟଧିକ ରହିଛି। ଇଣ୍ଡିଆ ଗେଟ୍, କର୍ତ୍ତବ୍ୟ ପଥ ଓ ରାଷ୍ଟ୍ରପତି ଭବନ ଆସପାସରେ ମଧ୍ୟ ୪ ଶହରୁ ଅଧିକ ଏକ୍ୟୁଆଇ ରେକର୍ଡ ହୋଇଛି।

ଏନସିଆରରେ ମଧ୍ୟ ଗମ୍ଭୀର ସ୍ଥିତି

ଦିଲ୍ଲୀ ସହ ଏନସିଆର ଅଞ୍ଚଳରେ ମଧ୍ୟ ପରିସ୍ଥିତି ଉତ୍କଟ। ନୋଏଡ଼ାରେ ଏକ୍ୟୁଆଇ ୪୨୬ ଓ ଗାଜିଆବାଦରେ ୪୧୫ ରେକର୍ଡ ହୋଇଛି। ପ୍ରଦୂଷଣ ହ୍ରାସ ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP)-୪ ଲାଗୁ କରାଯାଇଥିବା ବେଳେ, ଧୂଳି ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ କରାଯାଉଛି।

ଯାତାୟାତ ଉପରେ ପ୍ରଭାବ

ଘନ କୁହୁଡ଼ି ଓ ଖରାପ ପାଗ ଯୋଗୁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତକାଲି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪ଟି ବିମାନ ବାତିଲ ହୋଇଥିବା ବେଳେ ୫ ଶହରୁ ଅଧିକ ବିମାନ ବିଳମ୍ବିତ ହୋଇଥିଲା।

ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଅପରାହ୍ନରେ ବାହାରୁ ନଯିବା, ମାସ୍କ ବ୍ୟବହାର ଓ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି।