ନୂଆଦିଲ୍ଲୀ:

ଘନ କୁହୁଡ଼ି ଓ ଭୟାବହ ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଜୀବନକୁ କଲବଲ କରିଦେଇଛି। ସୋମବାର ସକାଳୁ ସମଗ୍ର ଦିଲ୍ଲୀ ଓ ଆସପାସର ଅଞ୍ଚଳ ଘନ କୁହୁଡ଼ିରେ ଢାକିଯାଇଥିବାବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତି ସାଂଘାତିକ ସ୍ତରକୁ ପହଞ୍ଚିଥିଲା। ଦୃଶ୍ୟମାନତା ଗୁରୁତର ଭାବେ କମିଯିବାରୁ ବିମାନ ଓ ରେଳ ଚଳାଚଳ ଭାରି ପ୍ରଭାବିତ ହୋଇଛି।

ଦିଲ୍ଲୀ ବିମାନବନ୍ଦର ସୂତ୍ର ଅନୁଯାୟୀ, ୨୨୮ଟି ବିମାନ ବାତିଲ ହୋଇଥିବାବେଳେ ପ୍ରାୟ ୪୦୦ଟି ବିମାନ ବିଳମ୍ବରେ ଚାଲିଛି। ଯାତ୍ରୀମାନଙ୍କୁ ବିମାନ ସେବା ସଂସ୍ଥା ସହ ସଦ୍ୟତମ ସୂଚନା ପାଇଁ ଯୋଗାଯୋଗ କରିବାକୁ ବିମାନବନ୍ଦର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହିଭଳି ଘନ କୁହୁଡ଼ି ଯୋଗୁଁ ୯୦ରୁ ଅଧିକ ଟ୍ରେନ୍‌ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ଚଳାଚଳ କରିଛି।

ଦିଲ୍ଲୀରେ ଲଗାତାର ତୃତୀୟ ଦିନ ପାଇଁ AQI ‘ସାଂଘାତିକ’ ଶ୍ରେଣୀରେ ରହିଛି। ଅଶୋକ ବିହାର, ଜାହାଙ୍ଗିରପୁରୀ, ରୋହିଣୀ ଓ ୱାଜିପୁର ମନିଟରିଂ ଷ୍ଟେସନରେ ସକାଳ ୭ଟା ସମୟରେ AQI ୫୦୦ ରେକର୍ଡ କରାଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ, କାନାଡା ଓ ସିଙ୍ଗାପୁର ଦିଲ୍ଲୀ ସହ ଉତ୍ତର ଭାରତରେ ଥିବା ସେମାନଙ୍କ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରିଛନ୍ତି।

ଘନ କୁହୁଡ଼ି ଯୋଗୁଁ ସୋମବାର ଭୋର ୫ଟା ସମୟରେ ଦିଲ୍ଲୀ–ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ୨୦ରୁ ଅଧିକ ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨ଜଣ ପୁଲିସ ଅଧିକାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ୨୦ଜଣ ଗୁରୁତର ଆହତ ହୋଇଛନ୍ତି।

ବିପଦଜନକ ବାୟୁ ପରିସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୧୭ ତାରିଖରେ ଦିଲ୍ଲୀର ବାୟୁ ମାନ ସମ୍ପର୍କିତ ମାମଲାର ଶୁଣାଣି କରି ବାସ୍ତବ ଓ କାର୍ଯ୍ୟକାରୀ ଆଦେଶ ଦେବାକୁ କହିଛନ୍ତି। ଆମିକସ କ୍ୟୁରି ଅପରାଜିତା ସିଂହ ଦାବି କରିଛନ୍ତି ଯେ, ପ୍ରତିଷେଧମୂଳକ ବ୍ୟବସ୍ଥା ଥିଲେ ମଧ୍ୟ ସେଗୁଡ଼ିକ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ।

ଅନ୍ୟପକ୍ଷରେ, ବିପଦଜନକ ପରିସ୍ଥିତିକୁ ଦେଖି ଦିଲ୍ଲୀ ସରକାର ନର୍ସରିରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାକୁ ଅନଲାଇନ୍‌ରେ କରିବା ଘୋଷଣା କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲି ସରକାର କହିଛନ୍ତି।