ନୂଆଦିଲ୍ଲୀ, ୨୦ ଅଗଷ୍ଟ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜନଶୁଣାଣି ସଭାରେ ଆକ୍ରମଣ କରିଥିବା ଘଟଣାରେ ଚମକପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିଛି। ଆକ୍ରମଣକାରୀ ରାଜେଶ ଖିମଜୀ (୪୧), ଜଣେ ରିକ୍ସାଚାଳକ ଏବଂ ମାନସିକ ରୋଗୀ, କୁକୁର ପ୍ରତି ତାଙ୍କ ଅତ୍ୟଧିକ ପ୍ରେମରୁ ଏହି କାଣ୍ଡ କରିଥିବା ଜଣାପଡିଛି।
ସୂତ୍ର ଅନୁସାରେ, ଦିଲ୍ଲୀ-ଏନସିଆରରୁ କୁକୁରମାନଙ୍କୁ ହଟାଇବା ସମ୍ପର୍କରେ ନିଷ୍ପତ୍ତି ନେବାରୁ ରାଜେଶ ଭାରି ରାଗିଥିଲା। ସୋସିଆଲ ମିଡିଆରେ କୁକୁରମାନଙ୍କୁ ଉଠାଇନେଇବା ଭିଡିଓ ଦେଖି ସେ ବିଚଲିତ ହୋଇଥିଲା। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲା।
ପୋଲିସ ତଦନ୍ତରେ ମିଳିଛି, ଆକ୍ରମଣର ପୂର୍ବଦିନ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଖରେ ରେକି କରିଥିଲା। ସିସିଟିଭିରେ ସେ ଫୋନ୍ରେ କିଛି ଫଟୋ କିମ୍ବା ଭିଡିଓ ଦେଖାଇଥିବା ଧରାପଡିଛି। ପରେ ଜନଶୁଣାଣି ବେଳେ ରାଜେଶ ଅଭିଯୋଗପତ୍ର ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ହଠାତ୍ ଚାପୁଡା ମାରିଥିଲା। ଏହାସହିତ ଚୁଟି ଧରି ଘୋଷାଡ଼ିବା ପର୍ଯ୍ୟନ୍ତ ସେ ପ୍ରୟାସ କରିଥିଲା।
ଏହି ଘଟଣାରେ ଅଭିଯୁକ୍ତଙ୍କ ମା’ ଭାନୁବେନ କହିଛନ୍ତି, “ମୋ ପୁଅ କୁକୁରଙ୍କୁ ଭାରି ଭଲପାଏ, ତାର ମନୋବିକାର ଅଛି, ରାଗରେ ଏମିତି କରିଦେଇଛି। ଆମେ ଗରିବ ଲୋକ, ମୁଖ୍ୟମନ୍ତ୍ରୀ ତାକୁ କ୍ଷମା କରନ୍ତୁ”।
ବର୍ତ୍ତମାନ ପୋଲିସ ରାଜେଶକୁ ଗିରଫ କରି ତଦନ୍ତ ଜାରି ରଖିଛି।