ନୂଆଦିଲ୍ଲୀ: ପୂର୍ବତନ ସେନାମୁଖ୍ୟ ଜେନେରାଲ୍ ଏମ୍‌.ଏମ୍‌. ନରବଣେଙ୍କ ଆତ୍ମଜୀବନୀକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଦିଲ୍ଲୀ ପୁଲିସ ବୁଧବାର ପ୍ରକାଶକ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆକୁ ନୋଟିସ ଜାରି କରିଛି। ପୁସ୍ତକଟି ଆଧିକାରିକ ଭାବେ ପ୍ରକାଶିତ ହୋଇନଥିବା ସତ୍ତ୍ୱେ ଏହାର ତଥ୍ୟ କିପରି ସାର୍ବଜନୀନ ମଞ୍ଚକୁ ପହଞ୍ଚିଲା ବୋଲି ପ୍ରଶ୍ନ ଉଠିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୁସ୍ତକ ଲିକ୍ ଘଟଣାକୁ ନେଇ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପକ୍ଷରୁ ପ୍ରକାଶକଙ୍କୁ ନୋଟିସ ପଠାଯାଇଛି। ଏଥିରେ ଅପ୍ରକାଶିତ ପାଣ୍ଡୁଲିପି କେମିତି ବାହାରକୁ ଆସିଲା ଓ କାହା ହାତକୁ ପହଞ୍ଚିଲା — ସେ ସବୁ ନେଇ ବିସ୍ତୃତ ତଥ୍ୟ ଚାହାଯାଇଛି। ପ୍ରକାଶକଙ୍କୁ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ ନାମକ ଏହି ଆତ୍ମଜୀବନୀର କିଛି ଅଂଶକୁ ଆଧାର କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦରେ ମତ ପ୍ରକାଶ କରିବାକୁ ଚେଷ୍ଟା କରିଥିବାରୁ ବିବାଦ ଆରମ୍ଭ ହୋଇଥିଲା। ସେ ୨୦୨୦ ଭାରତ-ଚୀନ ସୀମା ପରିସ୍ଥିତି ସମ୍ପର୍କିତ କିଛି ଉଲ୍ଲେଖ କରିଥିଲେ। ଏହାକୁ ନେଇ ସଂସଦରେ ଶାସକ ଦଳ ପକ୍ଷରୁ ଆପତ୍ତି ଉଠିଥିଲା।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଅପ୍ରକାଶିତ ପୁସ୍ତକର ଉଦ୍ଧୃତି ସଂସଦରେ ଦିଆଯିବା ଉଚିତ୍ ନୁହେଁ। ପରେ ଲୋକସଭା ସ୍ପିକର୍ ମଧ୍ୟ ଅପ୍ରମାଣିତ ଏବଂ ଅପ୍ରକାଶିତ ବିଷୟବସ୍ତୁ ଉପସ୍ଥାପନରେ ନିଷେଧ ଲାଗୁ କରିଥିଲେ।

ଏହି ଘଟଣା ପରେ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ସ୍ପଷ୍ଟ କରିଥିଲା ଯେ ପୁସ୍ତକଟି ଏପର୍ଯ୍ୟନ୍ତ ଆଧିକାରିକ ଭାବେ ପ୍ରକାଶ ପାଇନାହିଁ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ଅପେକ୍ଷାରେ ଅଛି। ପ୍ରକାଶକ ଏହା ମଧ୍ୟ କହିଛି ଯେ ପୁସ୍ତକର ପିଡିଏଫ୍ କିମ୍ବା ଅନ୍ୟ ରୂପରେ ଅବୈଧ ପ୍ରସାରଣ କପିରାଇଟ୍ ଉଲ୍ଲଂଘନ ହେବ।

ଜେନେରାଲ୍ ନରବଣେ ମଧ୍ୟ ପ୍ରକାଶକଙ୍କ ମତକୁ ସମର୍ଥନ କରି ପୁସ୍ତକ ପ୍ରକାଶ ହୋଇନଥିବା କଥା କହିଛନ୍ତି। ଏପଟେ ବିବାଦ ତୀବ୍ର ହେଉଥିବାବେଳେ ଦିଲ୍ଲୀ ପୁଲିସ ଡିଜିଟାଲ୍ ଓ ଅନ୍ୟ ମାଧ୍ୟମରେ ଅବୈଧ ପ୍ରଚାର ଅଭିଯୋଗରେ ଏଫଆଇଆର୍ ରୁଜୁ କରି ତଦନ୍ତ ଜାରି ରଖିଛି।