ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଆନ୍ତଃରାଜ୍ୟ ସୀମା ସଂଲଗ୍ନ ହୋଇଥିବାରୁ ସୀମାନ୍ତ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ସୀମା ପ୍ରବେଶ ପଥ ଖୋଲା ରହିଥିବାରୁ ଲଘୁ ଖଣିଜ ଚୋରାଚାଲାଣ ସହ ଚୋରି, ଡକାୟତି ଓ ଅନ୍ୟାନ୍ୟ ଅପରାଧ ଘଟଣା ବୃଦ୍ଧି ପାଉଛି।

ଜିଲ୍ଲାର ସମୁଦାୟ ଥାନା ମଧ୍ୟରୁ ୧୪ଟି ଥାନା ଆନ୍ତଃରାଜ୍ୟ ସୀମାକୁ ଲାଗିଥିବା ସତ୍ତ୍ୱେ ସୀମାନ୍ତରେ ସ୍ଥାୟୀ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି। ସେହିପରି ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଓ ସନ୍ଦିଗ୍ଧ ଛକଗୁଡ଼ିକରେ ସିସିଟିଭି କ୍ୟାମେରା ନଥିବାରୁ ଅପରାଧୀମାନେ ଘଟଣା ଘଟାଇ ସହଜରେ ଅନ୍ୟ ରାଜ୍ୟକୁ ପଳାଇଯିବାରେ ସକ୍ଷମ ହେଉଛନ୍ତି। ଏହା ଦ୍ୱାରା ପୁଲିସ ପାଇଁ ଅପରାଧୀଙ୍କୁ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ହେଉଛି।

ଏହି ପରିପ୍ରେକ୍ଷିତରେ ସୀମାନ୍ତ ସୁରକ୍ଷାକୁ ଦୃଢ଼ କରିବା ଲକ୍ଷ୍ୟରେ ମୟୂରଭଞ୍ଜର ସାଂସଦ ନବଚରଣ ମାଝୀ ଆନ୍ତଃରାଜ୍ୟ ପ୍ରବେଶ ପଥ ଓ ସନ୍ଦିଗ୍ଧ ଛକଗୁଡ଼ିକରେ ସିସିଟିଭି କ୍ୟାମେରା ସ୍ଥାପନ ପାଇଁ ଦାବି କରିଛନ୍ତି। ଏନେଇ ସେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ସାକ୍ଷାତ କରି ଅନୁରୋଧ ଜଣାଇଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ରେ ଏହି ବିଷୟରେ ପୋଷ୍ଟ ସେୟାର କରି ସାଂସଦ ମାଝୀ କହିଛନ୍ତି ଯେ, ମୟୂରଭଞ୍ଜ ଦୁଇଟି ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅସାମାଜିକ କାର୍ଯ୍ୟକଳାପ ଓ ମହିଳା ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଟି ସନ୍ଦିଗ୍ଧ ଛକରେ ସିସିଟିଭି ସ୍ଥାପନ ଅତ୍ୟାବଶ୍ୟକ।

ସୀମାନ୍ତ ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲାଗିଲେ ଅପରାଧ ଘଟଣାରେ ନିୟନ୍ତ୍ରଣ ଆସିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଉଛି।