ଲକ୍ଷ୍ନୌ: ଦେଶର ସବୁଠାରୁ ବଡ଼ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶକୁ ବିଭାଜନ କରିବା ନେଇ ପୁଣିଥରେ ରାଜନୈତିକ ତର୍କ ବିତର୍କ ଆରମ୍ଭ ହୋଇଛି। ପଶ୍ଚିମ ଉତ୍ତରପ୍ରଦେଶ ପରେ ଏବେ ପୂର୍ବାଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା କରିବା ପାଇଁ ଦାବି ଉଠିଛି, ଯାହା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।
ଆମେଠି ଜିଲ୍ଲାର ଦାଦନ ସଦନରେ ଆୟୋଜିତ ଏକ ବୃହତ ସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ସିଂହ ଓ ପୂର୍ବତନ ଶିକ୍ଷାମନ୍ତ୍ରୀ ଅମିତା ସିଂହ ପୂର୍ବାଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଦାବିକୁ ପୁଣିଥରେ ଦୋହରାଇଥିଲେ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଉଭୟ ନେତା କହିଥିଲେ ଯେ, ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ଗଠନ ଅତ୍ୟନ୍ତ ଆବଶ୍ୟକ।
ସଞ୍ଜୟ ସିଂହ କହିଥିଲେ, ଉତ୍ତରପ୍ରଦେଶର ଜନସଂଖ୍ୟା ବହୁତ ବଡ଼ ହେବାରୁ ଏକକ ପ୍ରଶାସନିକ ବ୍ୟବସ୍ଥାରେ ସୁଶାସନ ସୁନିଶ୍ଚିତ କରିବା କଠିନ ହୋଇପଡ଼ିଛି। ରାଜ୍ୟ ବିଭାଜନ ହେଲେ ପ୍ରଶାସନ, ନିଯୁକ୍ତି ସୃଷ୍ଟି ଓ ଆଞ୍ଚଳିକ ବିକାଶରେ ଗତି ଆସିପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ଅଲଗା ହେବ ୨୮ଟି ଜିଲ୍ଲା
ପୂର୍ବାଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ କରିବା ପାଇଁ ମୋଟ ୨୮ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବା ନେଇ ବ୍ଲୁପ୍ରିଣ୍ଟ ରଖାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ—ବାରାଣସୀ, ଚନ୍ଦୌଲି, ଜୌନପୁର, ଗାଜିପୁର, ଆଜମଗଡ଼, ମଉ, ବାଲିଆ, ପ୍ରୟାଗରାଜ, କୌଶାମ୍ବୀ, ପ୍ରତାପଗଡ଼, ମିର୍ଜାପୁର, ସୋନଭଦ୍ର, ଭାଦୋହୀ, ଅଯୋଧ୍ୟା, ଆକବରପୁର, ସୁଲତାନପୁର, ଆମେଥି, ଗୋଣ୍ଡା, ବଳରାମପୁର, ବହରାଇଚ୍, ଶ୍ରାବସ୍ତି, ଗୋରଖପୁର, ମହାରାଜଗଞ୍ଜ, ଦେଓରିଆ, କୁଶୀନଗର, ବସ୍ତି, ସିଦ୍ଧାର୍ଥନଗର ଓ ସନ୍ତ କବୀର ନଗର।
ନେତାମାନଙ୍କ ଦାବି ଅନୁସାରେ, ଏହି ୨୮ଟି ଜିଲ୍ଲାକୁ ନେଇ ଗଠିତ ନୂଆ ରାଜ୍ୟର ଜନସଂଖ୍ୟା ପ୍ରାୟ ୭ କୋଟି ୯୮ ଲକ୍ଷ ହେବ ଏବଂ ଏହା ଦେଶର ୧୪ତମ ସର୍ବବୃହତ ରାଜ୍ୟ ଭାବେ ପରିଚିତ ହେବ।
ନୂଆ ରାଜ୍ୟର ନାମ ‘ପୂର୍ବାଞ୍ଚଳ’?
ସ୍ୱତନ୍ତ୍ର ରାଜ୍ୟ ପାଇଁ ‘ପୂର୍ବାଞ୍ଚଳ’ ନାମଟିକୁ ସବୁଠାରୁ ଉପଯୁକ୍ତ ବୋଲି ନେତାମାନେ ମତ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ନାମ ଅଞ୍ଚଳର ଭୌଗୋଳିକ, ସାଂସ୍କୃତିକ ଓ ଭାଷାଗତ ପରିଚୟକୁ ସଠିକ୍ ଭାବେ ପ୍ରତିବିମ୍ବିତ କରେ।
ଅନ୍ୟପଟେ ଅମିତା ସିଂ କହିଛନ୍ତି, ପୂର୍ବାଞ୍ଚଳରେ ପ୍ରଚୁର ପ୍ରାକୃତିକ ସମ୍ପଦ, ଉର୍ବର କୃଷି ଜମି, ବିଦ୍ୟୁତ ଉତ୍ପାଦନ ସମ୍ଭାବନା ଓ ପର୍ଯ୍ୟଟନ ସ୍ଥଳୀ ଥିଲେ ମଧ୍ୟ ଏହା ବିକାଶରେ ପଛରେ ରହିଛି। ସ୍ୱତନ୍ତ୍ର ରାଜ୍ୟ ହେଲେ ପୂର୍ବାଞ୍ଚଳର ସମଗ୍ର ବିକାଶ ଦ୍ରୁତ ଗତିରେ ସମ୍ଭବ ହେବ ବୋଲି ସେ ଦାବି କରିଛନ୍ତି।





